ପଞ୍ଜଶୀରରେ ଚାଲିଛି ରକ୍ତାକ୍ତ ସଂଘର୍ଷ, ୬୦୦ ତାଲିବାନୀ ନିହତ, ହଜାରେରୁ ଊର୍ଦ୍ଧ୍ୱ ଆତ୍ମସମର୍ପଣ କରିଥିବା ବିଦ୍ରୋହୀ ଗୋଷ୍ଠୀର ଦାବି

କାବୁଲ: ଆଫଗାନିସ୍ତାନର ପଞ୍ଜଶୀର ପାଇଁ ତାଲିବାନ ଏବଂ ବିଦ୍ରୋହୀ ଗୋଷ୍ଠୀ ‘ନର୍ଦର୍ନ ଆଲାଏନ୍ସ’ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି ରହିଛି। ଶନିବାର ମଧ୍ୟ ଏହି ଦୁର୍ଗମ ଉପତ୍ୟକାରେ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି । ଏଥିରେ ଅନେକ ତାଲିବାନ ସେନା ନିହତ ହୋଇଥିବା ସୂଚନା ମିଳିଛି। ବିଦ୍ରୋହୀ ବାହିନୀ ଦାବି କରିଛି ଯେ ଉତ୍ତର-ପୂର୍ବ ପଞ୍ଜଶୀର ପ୍ରଦେଶରେ ପ୍ରାୟ ୬୦୦ ତାଲିବାନଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦୦ରୁ ଅଧିକ ତାଲିବାନ ଯୋଦ୍ଧା ଆତ୍ମସମର୍ପଣ କରିଛନ୍ତି ବୋଲି ସ୍ପୁଟନିକ୍ ନ୍ୟୁଜ୍ ପକ୍ଷରୁ କୁହାଯାଇଛି ।

‘ନର୍ଦର୍ନ ଆଲାଏନ୍ସ’ ର ମୁଖପାତ୍ର ଫହିମ ଦସ୍ତି ଏକ ଟୁଇଟରେ ଲେଖିଛନ୍ତି, “ପଞ୍ଜଶୀରର ବିଭିନ୍ନ ଜିଲ୍ଲାରେ ୬୦୦ ତାଲିବାନ ଯୋଦ୍ଧା ସଫା । ଏକ ହଜାରରୁ ଅଧିକ ତାଲିବାନୀଙ୍କୁ ଧରାଯାଇଛି କିମ୍ବା ସେମାନେ ଆତ୍ମସମର୍ପଣ କରିଛନ୍ତି |
ଆଫଗାନିସ୍ତାନ ବିଦ୍ରୋହୀ ଗୋଷ୍ଠୀ ୬୦୦ ତାଲିବାନୀଙ୍କୁ ମାରିଥିବା ଦାବି କରୁଥିବାବେଳେ ତାଲିବାନ କହିଛି ଯେ ଏହା ପଞ୍ଜଶୀରର ଚାରିଟି ଜିଲ୍ଲାକୁ କବଜା କରିଛି। ତାଲିବାନ ମୁଖପାତ୍ର ବିଲାଲ କରିମି କହିଛନ୍ତି ଯେ ଆମେ ପଞ୍ଜଶୀର ପ୍ରଦେଶର ସାତୋଟି ଜିଲ୍ଲା ମଧ୍ୟରୁ ଚାରିଟିକୁ କବଜା କରିଛୁ। ଆମେ ବର୍ତ୍ତମାନ ପଞ୍ଜଶୀର ଆଡକୁ ମୁହାଁଉଛୁ। ”

ବିଦ୍ରୋହୀ ଦଳର ନେତା ଅମରୁଲ୍ଲା ସାଲେହ ତାଲିବାନ ଏହି ଅଞ୍ଚଳ ଦଖଲ କରିଥିବା ଖବରକୁ ଖଣ୍ଡନ କରିଛନ୍ତି। କିନ୍ତୁ ସେ ସ୍ବୀକାର କରିଛନ୍ତି ଯେ ତାଲିବାନ ପଞ୍ଜଶୀରକୁ ଫୋନ୍, ଇଣ୍ଟରନେଟ୍ ଏବଂ ବିଦ୍ୟୁତ୍ ଲାଇନ କାଟି ଦେଇଥିବାରୁ ସ୍ଥିତି ଜଟିଳ ହୋଇଛି। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ସାଲେହ କହିଛନ୍ତି ଯେ ଉଭୟ ପକ୍ଷର ଅନେକ ମୃତାହତ ହୋଇଛନ୍ତି। ସେ କହିଛନ୍ତି, ‘ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମେ ଏକ କଠିନ ସ୍ଥିତିରେ ଅଛୁ | ତାଲିବାନ ପକ୍ଷରୁ ଆକ୍ରମଣ କରାଯାଇଛି। ଆମର ସେନା ଆତ୍ମସମର୍ପଣ କରିବେ ନାହିଁ।

Comments are closed.