ଯୁବ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ହୃଦଘାତରେ ପରଲୋକ

ମୁମ୍ବାଇ: ବିଗ୍ ବସ୍ ସିଜନ୍-୧୩ର ବିଜେତା ତଥା ଯୁବ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି | ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ହୃଦଘାତ ପରେ ତାଙ୍କୁ ମୁମ୍ବାଇର କପୁର୍ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା କୁହାଯାଇଛି।

ବୁଧବାର ରାତିରେ ଶୋଇବା ପୂର୍ବରୁ ସେ କିଛି ଔଷଧ ସେବନ କରିଥିବା କୁହାଯାଉଛି। ଏହା ପରେ ସେ ହୃଦଘାତର ଶିକାର ହୋଇଥିଲେ ଏବଂ ସେ ଆଉ ଉଠିନଥିଲେ। ବିଗ୍ ବସ୍ ସିଜନ୍ -୧୩ ରେ ତାଙ୍କ ସହ ଅଂଶଗ୍ରହଣ କରିଥିବା ଅଭିନେତା ବିନ୍ଦୁ ଦାରା ସିଂ କହିଛନ୍ତି – ମୁଁ ଏହି ଖବରକୁ ବିଶ୍ଵାସ କରିପାରୁନି । ସେ ବହୁତ ଫିଟ୍ ଏବଂ ସୁନ୍ଦର ଥିଲେ। ସେ ଜଣେ ଅଦ୍ଭୁତ ବ୍ୟକ୍ତି ଥିଲେ | ଯେଉଁ ବ୍ୟକ୍ତି ଏତେ ଫିଟ୍, ସେ ମଧ୍ୟ ସୁରକ୍ଷିତ ନୁହଁନ୍ତି, ତା’ହେଲେ କିଛି ବି କୁହାଯାଇପାରିବ ନାହିଁ | ତାଙ୍କର ପରଲୋକ ଆମ ସମସ୍ତଙ୍କ ପାଇଁ ଏକ ବଡ କ୍ଷତି |

ସିଦ୍ଧାର୍ଥ ୧୯୮୦ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ମଡେଲ୍ ଭାବରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ୨୦୦୫ ରେ ସେ ୱାର୍ଲ୍ଡସ୍ ବେଷ୍ଟ ମଡେଲ୍ ଆଖ୍ୟା ମଧ୍ୟ ପାଇଥିଲେ | ପରେ ସେ ଟେଲିଭିଜନ ସିରିଏଲରେ ଅଭିନୟ କରିବା ଆରମ୍ଭ କଲେ | ସିଦ୍ଧାର୍ଥ ‘ବ୍ରୋକେନ ବଟ୍ ବିୟୁଟିଫୁଲ୍ -୩’, ‘ବାଳିକା ବଧୂ’ ଏବଂ ‘ଦିଲ୍ ସେ ଦିଲ୍ ତକ୍’ ଭଳି ସିରିଏଲରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ | ତାଙ୍କୁ ‘ଫିୟର୍ ଫ୍ୟାକ୍ଟର ସିଜନ-୭’ ରେ ମଧ୍ୟ ଦେଖିବାକୁ ମିଳିଥିଲା | ସିଦ୍ଧାର୍ଥ ‘ସାବଧାନ ଇଣ୍ଡିଆ’ ଏବଂ ‘ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ’ ଭଳି ଶୋ’ର ସଞ୍ଚାଳକ କରିଛନ୍ତି | ସେ ‘ହମ୍ପ୍ଟି ଶର୍ମା କି ଦୁଲହନିଆ’ ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କ ଅକାଳ ମୃତ୍ୟୁରେ ବଲିଉଡ୍ ଓ ଟେଲିଭିଜନ୍ ଜଗତରେ ଶୋକର ଛାୟା ଖେଳିଯାଇଛି ।

Comments are closed.