ଶେଷରେ କ୍ଷମା ମାଗିଲେ ‘ଆଦିପୁରୁଷ’ର ସଂଳାପକାର ମନୋଜ ମୁଣ୍ଟାଶିର

ନୂଆଦିଲ୍ଲୀ: ‘ଆଦିପୁରୁଷ’ ଫିଲ୍ମର କିଛି ବିବାଦୀୟ ଡାଏଲଗ୍ ପାଇଁ ସମାଲୋଚନାର ପାତ୍ର ହୋଇଥିବା ମନୋଜ ମୁଣ୍ଟାଶିର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ଶନିବାର ସକାଳେ ଏକ ଟୁଇଟ୍‌ରେ ସେ କ୍ଷମା ମାଗିଛନ୍ତି ।

ମନୋଜ ମୁଣ୍ଟାଶିର କହିଛନ୍ତି, “ଆଦିପୁରୁଷ ଫିଲ୍ମ ଦ୍ବାରା ଲୋକଙ୍କ ଭାବନା ଆହତ ହୋଇଛି। ମୋର ସମସ୍ତ ଭାଇ ଓ ଭଉଣୀ, ବୟୋଜ୍ୟେଷ୍ଠ, ପୂଜ୍ୟ ସାଧୁସନ୍ଥ ଓ ଶ୍ରୀରାମଙ୍କ ଭକ୍ତମାନଙ୍କୁ ମୁଁ ହାତଯୋଡି ନିଃସର୍ତ୍ତ କ୍ଷମା ମାଗୁଛି | ପ୍ରଭୁ ବଜରଙ୍ଗବାଲୀ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ । ଆମକୁ ଏକ ଏବଂ ଅତୁଟ ରହି ଆମର ପବିତ୍ର ସନାତନ ତଥା ମହାନ ଦେଶର ସେବା କରିବାକୁ ଶକ୍ତି ଦିଅନ୍ତୁ ! ”

‘ଆଦିପୁରୁଷ’ର କିଛି ଡାଏଲଗକୁ ନେଇ ବିବାଦ ପରେ ମନୋଜ ମୁଣ୍ଟାଶିର ପ୍ରଥମେ କ୍ଷମା ମାଗିବାକୁ ମନା କରିଥିଲେ। ସେ ଲେଖିଥିବା ସଂଳାପକୁ ଯଥାର୍ଥ ବୋଲି କହିଥିଲେ।

ହିନ୍ଦୁ ସେନା ନାମକ ଏକ ସଂଗଠନ ମଧ୍ୟ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି କରି ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରିଛି, ଯାହାର ଶୁଣାଣି ସମ୍ପ୍ରତି ଚାଲିଛି।

ଫିଲ୍ମର ଅନେକ ଡାଏଲଗକୁ ନେଇ ବିବାଦ ଦେଖାଦେଇଥିଲା । ଏହାକୁ ଚାରିଆଡ଼ୁ ସମାଲୋଚନା କରାଯାଇଥିଲା |

ଅନେକ ସହରରେ ହିନ୍ଦୁ ସଂଗଠନ ମଧ୍ୟ ଏହି ଫିଲ୍ମ ବିରୋଧରେ ପ୍ରଦର୍ଶନ କରିଥିଲେ।

ଏହି ବଡ ବଜେଟ୍ ଫିଲ୍ମ ପ୍ରଥମ ତିନି ଦିନ ମଧ୍ୟରେ ବକ୍ସ ଅଫିସରେ ତିନି ଶହ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା, କିନ୍ତୁ ଏହା ପରେ ଫିଲ୍ମର କଲେକ୍ସନ ଲଗାତାର କମି ଚାଲିଥିଲା ।

ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଏହି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ଭର୍ତ୍ସନା କରିଥିଲେ ।

Comments are closed.