ଆମେରିକାରେ ବ୍ୟାଙ୍କିଙ୍ଗ୍ ସଙ୍କଟ, ସିଲିକନ୍ ଭ୍ୟାଲି ବ୍ୟାଙ୍କ ପରେ ଆଉ ଏକ ବ୍ୟାଙ୍କରେ ପଡ଼ିଲା ତାଲା

ଓ୍ୱାଶିଂଟନ: ଆମେରିକାର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସଙ୍କଟ ଘନେଇବାରେ ଲାଗିଛି । ସିଲିକନ୍ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବାର ଦୁଇ ଦିନ ପରେ ବର୍ତ୍ତମାନ ସିଗ୍ନେଚର ବ୍ୟାଙ୍କ ବନ୍ଦ ହୋଇଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକାର ବ୍ୟାଙ୍କିଙ୍ଗ ଇତିହାସରେ ଏହା ହେଉଛି ତୃତୀୟ ବୃହତ୍ତ ବିପର୍ଯ୍ୟୟ।

ନ୍ୟୁୟର୍କ ବିତ୍ତୀୟ ସେବା ବିଭାଗ ରିପୋର୍ଟ ମୁତାବକ ଫେଡେରାଲ ଡିପୋଜିଟ୍ ଇନ୍ସୁରାନ୍ସ କର୍ପୋରେସନ (ଏଫଡିଆଇସି) ସିଗ୍ନେଚର ବ୍ୟାଙ୍କର ନିୟନ୍ତ୍ରଣ ହାତକୁ ନେଇଛି ।

ଗତ ବର୍ଷ ଶେଷ ସୁଦ୍ଧା ସିଗ୍ନେଚର ବ୍ୟାଙ୍କର ବାଲାନ୍ସ ସିଟରେ ୧୧୦ ବିଲିୟନ ଡ଼ଲାର ସମ୍ପତ୍ତି ଥିବା ବେଳେ ଡିପୋଜିଟ୍ ପରିମାଣ ଥିଲା ୮୮.୮୯ ବିଲିୟନ ଡ଼ଲାର ।

ଆମେରିକାର ଟ୍ରେଜେରୀ ବିଭାଗ ଏବଂ ଅନ୍ୟ ନିୟାମକ ଏଜେନ୍ସି ଏକ ମିଳିତ ବିବୃତ୍ତିରେ ଏହା ସ୍ପଷ୍ଟ କରିଛନ୍ତି ଯେ ସିଗ୍ନେଚର ବ୍ୟାଙ୍କ ଏବଂ ସିଲିକନ୍ ଭ୍ୟାଲି ବ୍ୟାଙ୍କର ସମସ୍ତ ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବ ଏବଂ ଟିକସଦାତାଙ୍କ କୌଣସି କ୍ଷତି ହେବାକୁ ଦିଆଯିବ ନାହିଁ।

ଗତ ସପ୍ତାହରେ ବନ୍ଦ ହୋଇଥିବା ସିଲିକନ୍ ଭ୍ୟାଲି ବ୍ୟାଙ୍କରେ ଅନେକ ନିବେଶକଙ୍କ କୋଟି କୋଟି ଡଲାର ଫସି ରହିଛି। ଇତି ମଧ୍ୟରେ ସିଲିକନ୍ ଭ୍ୟାଲି ବ୍ୟାଙ୍କର ବ୍ରିଟିଶ ବ୍ୟବସାୟ ଏଚ୍ଏସବିସି ବ୍ୟାଙ୍କକୁ ବିକ୍ରି କରାଯାଇଛି ।

Comments are closed.