ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ହେବ, ଓମିକ୍ରନ୍ ବିପଦ ନେଇ କହିଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଓମିକ୍ରନ୍ ବିପଦ ମଧ୍ୟରେ ଦେଶ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ହେବା ଉଚିତ ବୋଲି ଏଆଇଏମ୍ଏସ୍ ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି। ଦେଶରେ ଓମିକ୍ରନ୍ ଭାରିଆଣ୍ଟ ସମେତ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଡକ୍ଟର ଗୁଲେରିଆ ଏହି ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଓମିକ୍ରନ୍ ଭାରିଆଣ୍ଟର ୧୫୦ ରୁ ଅଧିକ ମାମଲା ରିପୋର୍ଟ ହୋଇଛି। କରୋନାର ଏହି ନୂତନ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ବୋଲି କୁହାଯାଉଛି | ଏହି ଭାରିଆଣ୍ଟର ମାମଲା ବ୍ରିଟେନ ସମେତ ୟୁରୋପର ବିଭିନ୍ନ ଦେଶରେ ହୁ ହୁ ହୋଇ ବଢୁଛି ।

ବ୍ରିଟେନରେ ରବିବାର ଦିନ ଓମିକ୍ରନ୍ ଭାରିଆଣ୍ଟ୍ର ପ୍ରାୟ ଦଶ ହଜାର ମାମଲା ରୁଜୁ ହୋଇଛି। ବ୍ରିଟେନରେ ବୃଦ୍ଧି ପାଉଥିବା ମାମଲା ବିଷୟରେ ଗୁଲେରିଆ କହିଛନ୍ତି ଯେ ଆମକୁ ମଧ୍ୟ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ହେବାକୁ ପଡିବ। ବ୍ରିଟେନରେ ପ୍ରତିଦିନ ପ୍ରାୟ ଏକ ଲକ୍ଷ ମାମଲା ରୁଜୁ ହେଉଛି। ଡକ୍ଟର ଗୁଲେରିଆ କହିଛନ୍ତି ଯେ ଆମକୁ ଓମିକ୍ରନ୍ ଉପରେ ତଥ୍ୟ ଆବଶ୍ୟକ।

ସେ କହିଛନ୍ତି ଯେ ଆମେରିକା, ବ୍ରିଟେନ ଏବଂ ଅନ୍ୟ ଦେଶ ଗୁଡ଼ିକରେ କରୋନାର ବଢୁଥିବା ଗ୍ରାଫ ଉପରେ ଆମକୁ ନଜର ରଖିବାକୁ ପଡିବ। କୌଣସି ସ୍ଥିତିର ସାମ୍ନା କରିବାକୁ ଆମେ ନିଜକୁ ଆଗୁଆ ପ୍ରସ୍ତୁତ କରିବା ଏକ ବୁଦ୍ଧିମାନ ପଦକ୍ଷେପ ହେବ ବୋଲି ଡକ୍ଟର ଗୁଲେରିଆ କହିଛନ୍ତି |

ଓମିକ୍ରନ୍ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । କରୋନାର ଏହି ଷ୍ଟ୍ରେନ୍ (ବି.୧.୧.୫୨୯) ପ୍ରଥମ ଥର ପାଇଁ ନଭେମ୍ବର ୯ରେ ନମୁନା ନିଆଯାଇଥିଲା ଏବଂ ନଭେମ୍ବର ୨୫ରେ ଏହି ଭାରିଆଣ୍ଟର ସଂକ୍ରମଣ ନେଇ ସ୍ପଷ୍ଟ କରାଯାଇଥିଲା | ନଭେମ୍ବର ୨୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କୋଭିଡ୍ -୧୯ ର ଏହି ଷ୍ଟ୍ରେନର ନାମ (ବି.୧.୧.୫୨୯) ରଖାଯାଇଥିଲା | ତା’ପରେ ଏହାକୁ ଓମିକ୍ରନ୍ ଭାବେ ନାମିତ କରାଯାଇଥିଲା ।

Comments are closed.