କୃଷି କ୍ଷେତ୍ରରେ ଉଦାରୀକରଣ ସଂପର୍କିତ ବିଲକୁ ବିରୋଧ, ମୋଦି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଅକାଳୀ ଦଳ ନେତ୍ରୀ ହରସିମରତ କୌର

ନୂଆଦିଲ୍ଲୀ – ଶିରୋମଣି ଅକାଳୀ ଦଳର ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ କୃଷି ବିଧେୟକ ଓ ଅଧ୍ୟାଦେଶକୁ ବିରୋଧ କରି ମୋଦି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଟ୍ୱିଟ୍ କରିଛନ୍ତି । ସେ ଇସ୍ତଫା ଦେବେ ବୋଲି ପୂର୍ବରୁ ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ ସଂକେତ ଦେଇଥିଲେ । ତେବେ, ଅକାଳୀ ଦଳ ମୋଦି ସରକାରଙ୍କୁ ସମର୍ଥନ ଜାରି ରଖିବ କି ନାହିଁ , ସେ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଶିରୋମଣି ଅକାଳୀ ଦଳ ମୋଦି ସରକାରଙ୍କ କୃଷି ବିଧେୟକକୁ ବିରୋଧ କରୁଛି ।

ଗତ ସୋମବାର ଦିନ ସରକାର କୃଷି କ୍ଷେତ୍ର ସହ ଜଡିତ ବିଧେୟକ ସଂସଦରେ ଆଗତ କରିଥିଲେ । କୃଷକ ଉତ୍ପାଦ, ବ୍ୟାପାର ଓ ବାଣିଜ୍ୟ ( ସଂବର୍ଧନ ଓ ସୁବିଧା ) ବିଧେୟକ, ମୂଲ୍ୟ ଆଶ୍ୱାସନ ଓ କୃଷି ସେବା ବିଧେୟକ, କୃଷକ ବୁଝାମଣା ବିଧେୟକ ଓ ଅତ୍ୟାବଶ୍ୟକ ବସ୍ତୁ ( ସଂଶୋଧନ ବିଧେୟକ ) ଗତ ସୋମବାର ଦିନ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । କୃଷି କ୍ଷେତ୍ରକୁ ଉଦାରୀକରଣ କରିବା ଉଦ୍ଦେଶ୍ୟରେ ଏସବୁ ବିଲ୍ ଆଗତ କରାଯାଇଛି । ବିରୋଧୀ ଦଳ ଓ ଅକାଳୀ ଦଳ ଏସବୁ ବିଲ୍ କୃଷକ ବିରୋଧୀ ବୋଲି କହିଥିଲେ । ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ପଂଜାବ ଓ ହରିୟାଣାରେ କୃଷି ବିଲ୍‌କୁ ଜୋରଦାର ବିରୋଧ କରାଯାଉଛି ।

Comments are closed.