‘ଅଜେୟ ଯୋଦ୍ଧା’ ମଲ୍ଲିକାର୍ଜୁନ ଖଡଗେ, ପାଞ୍ଚ ଦଶନ୍ଧିର ରାଜନୈତିକ କ୍ୟାରିୟରରେ କେବଳ ଥରେ ହାରିଛନ୍ତି

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଦଳର ନୂଆ ଜାତୀୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରାୟ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ ଜଣେ ନେତା ଦେଶର ସର୍ବ ପୁରାତନ ଦଳର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ସୀତାରାମ କେଶରୀ କଂଗ୍ରେସର ଶେଷ ଅଣଗାନ୍ଧୀ ସଭାପତି ଥିଲେ। ୧୭ ଅକ୍ଟୋବରରେ କଂଗ୍ରେସ ସଭାପତି ପଦ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ଏଥର ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ମଲ୍ଲିକାର୍ଜୁନ ଖଡଗେ ଶଶି ଥରୁରଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।

ମଲ୍ଲିକାର୍ଜୁନ ଖଡଗେଙ୍କୁ ତାଙ୍କ ରାଜ୍ୟ କର୍ଣ୍ଣାଟକରେ “ସୋଲିଲାଡା ସର୍ଦ୍ଦାର (ଅପରାଜେୟ ନେତା)” ଭାବେ ପରିଚିତ | ତାଙ୍କୁ ଗାନ୍ଧୀ ପରିବାରର ଜଣେ ବିଶ୍ୱସ୍ତ ଅନୁଗତ ଭାବେ ବିବେଚନା କରାଯାଏ।

କର୍ଣ୍ଣାଟକ ରାଜ୍ୟର ଦ୍ୱିତୀୟ ନେତା ଭାବେ ଖଡଗେ କଂଗ୍ରେସର ଜାତୀୟ ସଭାପତି ହୋଇଛନ୍ତି । ତାଙ୍କ ପୂର୍ବରୁ କର୍ଣ୍ଣାଟକର ଏସ୍ ନିଜଲିଙ୍ଗପ୍ପା ଏହି ପଦ ସମ୍ଭାଳିଥିଲେ । ଖଡଗେ ହେଉଛନ୍ତି ଦ୍ୱିତୀୟ ଦଳିତ ନେତା ଯିଏକି ଜଗଜୀବନ ରାମଙ୍କ ପରେ ଏହି ପଦରେ ଆସୀନ ହୋଇଛନ୍ତି।

୮୦ ବର୍ଷୀୟ ଖଡଗେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଅଛନ୍ତି। ସେ କ୍ରମାଗତ ନଅ ଥର ବିଧାୟକ ରହିଛନ୍ତି।

ମଲ୍ଲିକାର୍ଜୁନ ଖଡଗେ ତାଙ୍କ ନିଜ ଘର ଗୁଲବର୍ଗା (ବର୍ତ୍ତମାନ କଲବର୍ଗୀ) ରୁ ୟୁନିଅନ୍ ନେତା ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ, ସେହି ଦିନଠାରୁ ତାଙ୍କ ଗ୍ରାଫ୍ କ୍ରମାଗତ ଭାବରେ ବଢ଼ି ଚାଲିଥିଲା ।

ଖଡଗେ ୧୯୬୯ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଗୁଲବର୍ଗା ସିଟି କଂଗ୍ରେସ କମିଟିର ସଭାପତି ମଧ୍ୟ ରହିଥିଲେ ।

ଗୁରୁମିଟକଲ ବିଧାନସଭା ଆସନରୁ କ୍ରମାଗତ ୯ ଥର ନିର୍ବାଚନ ​​ଜିତିବାର ସଫଳତା ମଲ୍ଲିକାର୍ଜନ ଖଡଗେଙ୍କ ନାମରେ ରହିଛି।

ନିର୍ବାଚନରେ ​​ମଲ୍ଲିକାର୍ଜୁନ ଖଡଗେଙ୍କ ଭାବମୂର୍ତ୍ତି ଏକ ‘ଅଜେୟ ଯୋଦ୍ଧା’ ଭାବେ ରହିଛି । ୨୦୧୪ ସାଧାରଣ ନିର୍ବାଚନରେ ​​ନରେନ୍ଦ୍ର ମୋଦୀ ଲହର ସତ୍ତ୍ୱେ ସେ ଗୁଲବର୍ଗା ଆସନରୁ ୭୪ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ସେ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତେବେ ୨୦୧୯ ଲୋକସଭା ନିର୍ବାଚନରେ ​​ତାଙ୍କୁ ଗୁଲବର୍ଗା ଆସନରୁ ବିଜେପିର ଉମେଶ ଯାଦବଙ୍କ ଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ପ୍ରାୟ ପାଞ୍ଚ ଦଶନ୍ଧି ମଧ୍ୟରେ ଖଡଗେଙ୍କ ଏହା ପ୍ରଥମ ପରାଜୟ ଥିଲା |

ଗାନ୍ଧୀ ପରିବାରର ବିଶ୍ୱସ୍ତ ମଲ୍ଲିକାର୍ଜୁନ ଖଡଗେ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଛନ୍ତି। ଶ୍ରମ ଏବଂ ରୋଜଗାର ବ୍ୟତୀତ ସେ ମନମୋହନ ସିଂହଙ୍କ ନେତୃତ୍ୱରେ ୟୁପିଏ ସରକାରରେ ସେ ରେଳ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରହିଥିଲେ ‌।

ଜୁନ୍ ୨୦୨୦ ରେ ସେ କର୍ଣ୍ଣାଟକରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଖଡଗେଙ୍କ ଏକ ଭଦ୍ର ଏବଂ ନମ୍ର ନେତା ଭାବେ ଭାବମୂର୍ତ୍ତି ରହିଛି |

ବିଦର ଜିଲ୍ଲାର ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ଖଡଗେ ଗୁଲବର୍ଗାରୁ ବିଏ ପରେ ଆଇନ ଡିଗ୍ରୀ ହାସଲ କରିଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ କିଛି ଦିନ ଓକିଲାତି ପ୍ରାକ୍ଟିସ ମଧ୍ୟ କରିଥିଲେ । ମଲ୍ଲିକାର୍ଜନ ଖଡ଼ଗେ ୧୩ ମଇ ୧୯୬୮ରେ ରାଧାବାଇଙ୍କୁ ବିବାହ କରିଥିଲେ। ସେ ଦୁଇ ଝିଅ ଏବଂ ତିନି ପୁଅର ପିତା। ମଲ୍ଲିକାର୍ଜନ ଗଡଗେଙ୍କ ପୁଅ ପ୍ରିୟାଙ୍କ ବର୍ତ୍ତମାନ ଜଣେ ବିଧାୟକ।

Comments are closed.