ଧନୀ ତାଲିକାରେ ଖସିଲେ ଅମ୍ବାନୀ, ଆଦାନୀ

ନୂଆଦିଲ୍ଲୀ: ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀ ବିଶ୍ୱର ଧନୀ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଶୁକ୍ରବାର ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୧.୫୮ ବିଲିୟନ ଡ଼ଲାର ବଢ଼ିଛି । ଏହା ସତ୍ତ୍ୱେ ସେ ଗୋଟିଏ ସ୍ଥାନ ହରାଇ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି। ଦେଶର ସବୁଠୁ ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ମଧ୍ୟ ଏହି ତାଲିକାରେ ଦୁଇଟି ସ୍ଥାନ ତଳକୁ ଖସିଛନ୍ତି। ଶୁକ୍ରବାର ରିଲାଏନ୍ସ ସେୟାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଥିବାବେଳେ ଆଦାନୀ ଗ୍ରୁପ୍‌ର ଅଧିକାଂଶ କମ୍ପାନୀର ସେୟାର ବୃଦ୍ଧି ପାଇଥିଲା ।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଆଦାନୀ ୧୦୨ ବିଲିୟନ ଡଲାରର ସମ୍ପତ୍ତି ସହ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି। ଏକଦା ସେ ୧୨୫ ବିଲିୟନ ଡଲାରର ସମ୍ପତ୍ତି ସହିତ ବିଶ୍ୱର ଧନୀ ତାଲିକାରେ ପାଞ୍ଚ ନମ୍ବରରେ ପହଞ୍ଚିଥିଲେ। ଆଦାନୀ ଚଳିତ ବର୍ଷ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଧନୀ ଅଟନ୍ତି | ଚଳିତ ବର୍ଷ ତାଙ୍କର ନେଟ୍ ମୂଲ୍ୟ ୨୫.୩ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ ଏବଂ ଇଣ୍ଟରନେଟ୍ ଉଦ୍ୟୋଗୀ ଲାରି ପେଜଙ୍କ ନେଟ୍ ମୂଲ୍ୟ ୩.୫୯ ବିଲିୟନ ଡ଼ଲାର ବୃଦ୍ଧି ପାଇଛି ଏବଂ ସେ ଆଦାନୀଙ୍କୁ ଟପି ଯାଇଛନ୍ତି |

ଏହି ତାଲିକାରେ ଅମ୍ବାନୀ ୯୩.୯ ବିଲିୟନ ଡ଼ଲାର ମୂଲ୍ୟ ସହିତ ଦଶ ନମ୍ବରକୁ ଖସି ଆସିଛନ୍ତି | ରିଲାଏନ୍ସ ସେୟାରରେ ସାମାନ୍ୟ ହ୍ରାସ ଯୋଗୁଁ ଶୁକ୍ରବାର ଅମ୍ବାନୀଙ୍କ ନେଟ୍ ମୂଲ୍ୟ ୩୫୯ ନିୟୁତ ଡଲାରରେ ହ୍ରାସ ପାଇଛି। ଉଲ୍ଲେଖଥାଉ କି, ଚଳିତ ବର୍ଷ ତାଙ୍କର ନେଟ୍ ମୂଲ୍ୟ ୩.୯୦ ବିଲିୟନ ଡ଼ଲାର ବୃଦ୍ଧି ପାଇଛି। ଦୁନିଆର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରୁ କେବଳ ତିନିଜଣ ଚଳିତ ବର୍ଷ ସେମାନଙ୍କର ନେଟ ମୂଲ୍ୟ ବୃଦ୍ଧି କରିଛନ୍ତି | ଏମାନଙ୍କ ମଧ୍ୟରେ ଆଦାନୀ ଆଗରେ ଅଛନ୍ତି | ଆଦାନୀଙ୍କ ବ୍ୟତୀତ ଅମ୍ବାନୀ ଏବଂ ଆମେରିକାର ଭେଟେରାନ୍ ନିବେଶକ ୱାରେନ୍ ବଫେଟଙ୍କ ନେଟ୍ ମୂଲ୍ୟ ଚଳିତ ବର୍ଷ ବୃଦ୍ଧି ପାଇଛି | ଆଦାନୀ ଏବଂ ଅମ୍ବାନୀଙ୍କ ନେଟ୍ ମୂଲ୍ୟରେ ବର୍ତ୍ତମାନ ୮.୧ ବିଲିୟନ ଡ଼ଲାରର ବ୍ୟବଧାନ ରହିଛି |

Comments are closed.