ନାଗାଲାଣ୍ଡ ଘଟଣା ନେଇ ଲୋକସଭାରେ ଅମିତ ଶାହାଙ୍କ ବିବୃତି, କହିଲେ ସାଧାରଣ ନାଗରିକଙ୍କୁ ଚିହ୍ନିବାରେ ଭୁଲ୍ କରିଥିଲା ସେନା

ନୂଆଦିଲ୍ଲୀ: ନାଗାଲାଣ୍ଡ ଗୁଳି ବିନିମୟ ଘଟଣାରେ ଅମିତ ଶାହା ଆଜି ଲୋକସଭାରେ ବିବୃତ୍ତି ରଖିଛନ୍ତି। ସନ୍ଦିଗ୍ଧ ଆଶଙ୍କାରେ ସାଧାରଣ ନାଗରିକଙ୍କ ଉପରକୁ ଫାୟରିଂ କରାଯାଇଥିଲା ବୋଲି ସେ କହିଛନ୍ତି। ସାଧାରଣ ନାଗରିକଙ୍କୁ ଚିହ୍ନିବାରେ ଭୁଲ୍ ହୋଇଥିଲା। ସେ କହିଛନ୍ତି ଯେ ନାଗାଲାଣ୍ଡରେ ଘଟିଥିବା ଘଟଣାରେ ଭାରତ ସରକାର ଗଭୀର ମର୍ମାହତ । ମୃତକଙ୍କ ପରିବାର ପ୍ରତି ସରକାର ଗଭୀର ସମବେଦନା ଜଣାଇଛନ୍ତି। ନାଗାଲାଣ୍ଡ ଘଟଣାର ବିସ୍ତୃତ ଯାଞ୍ଚ୍ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଟିମ୍ (ଏସଆଇଟି) ଗଠନ କରାଯାଇଛି । ଏହାକୁ ଏକ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ କୁହାଯାଇଛି ବୋଲି ଗୃହମନ୍ତ୍ରୀ ଲୋକସଭାରେ କହିଛନ୍ତି।

ଅମିତ୍ ଶାହା କହିଛନ୍ତି ଯେ ଭବିଷ୍ୟତରେ ବିଦ୍ରୋହୀମାନଙ୍କ ବିରୋଧରେ ଅପରେସନ୍ ବେଳେ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ସମସ୍ତ ଏଜେନ୍ସିଙ୍କୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ନାଗାଲାଣ୍ଡର ସୋମ ଜିଲ୍ଲାରେ ସୁରକ୍ଷା ବାହିନୀ ପକ୍ଷରୁ ଏକ ବିଫଳ ଅପରେସନ୍ ଏବଂ ପରବର୍ତ୍ତୀ ହିଂସାରେ ଅତି କମରେ ୧୪ ସାଧାରଣ ନାଗରିକଙ୍କ ସହ ଜଣେ ସୈନିକ ପ୍ରାଣ ହରାଇଥିଲେ।

ଏହି ଘଟଣାରେ ଆଜି ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ନାଗାଲାଣ୍ଡ ପ୍ରସଙ୍ଗରେ ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଜବାବ୍ ରଖନ୍ତୁ ବୋଲି ବିରୋଧୀଦଳ ସାଂସଦମାନେ ଦାବି କରିଥିଲେ ।

Comments are closed.