ଅମିତ ଶାହଙ୍କ ପରେ ଅଜିତ ଡୋଭାଲ୍‌ଙ୍କୁ ଭେଟିଲେ ଅମରିନ୍ଦର

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର ଦିନକ ପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଆଜି ସକାଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଛନ୍ତି ।

ପଞ୍ଜାବ କଂଗ୍ରେସରେ ଦୀର୍ଘଦିନ ଧରି ଚାଲିଥିବା ଆନ୍ତଃ କନ୍ଦଳ ମଧ୍ୟରେ ଅମରିନ୍ଦର ସେପ୍ଟେମ୍ବର ୧୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଗତକାଲି ସେ ଅମିତ ଶାହଙ୍କୁ ଭେଟିବା ପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ତେବେ ଏନେଇ ଅମରିନ୍ଦର କିଛି ମନ୍ତବ୍ୟ ଦେଇ ନାହାନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ କାଳ ଆଲୋଚନା ହୋଇଥିଲା । ଅମିତ ଶାହଙ୍କ ସହ ସେ କୃଷି ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା କରିଥିଲେ ବୋଲି ଅମରିନ୍ଦର ଗଣମାଧ୍ୟମକୁ କହିଥିଲେ ।

ଅନ୍ୟପକ୍ଷେ ଅମରିନ୍ଦରଙ୍କୁ ମନାଇବା ପାଇଁ କଂଗ୍ରେସ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି । ଦଳର ବରିଷ୍ଠ ନେତା ଅମ୍ବିକା ସୋନି ଓ କମଲ ନାଥ କୁଆଡେ ଅମରିନ୍ଦର ସହ ଯୋଗାଯୋଗରେ ଅଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅମରିନ୍ଦର ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଅମରିନ୍ଦର ନିଜ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି ।

Comments are closed.