ଚାରି ବର୍ଷରେ ୩୦ ପ୍ରତିଶତ ବଢ଼ିଛି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ପତ୍ନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ଗତ ୪ ବର୍ଷ ମଧ୍ୟରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ତାଙ୍କ ପତ୍ନୀ କ୍ୟୋକୋ ଜୟଶଙ୍କରଙ୍କ ସମ୍ପତ୍ତି ପ୍ରାୟ ୩୦ ପ୍ରତିଶତ (୨୯.୪%) ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଦିଲ୍ଲୀର ବସନ୍ତ ବିହାରରେ ସେ ଏକ ଆପାର୍ଟମେଣ୍ଟ କିଣିଛନ୍ତି । ଜୟଶଙ୍କର ଜୁଲାଇ ୧୧ରେ ଗୁଜରାଟର ଗାନ୍ଧିନଗରରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଏହି ସମୟ ମଧ୍ୟରେ ସେ ତାଙ୍କ ସମ୍ପତ୍ତିର ବିସ୍ତୃତ ତଥ୍ୟ ମଧ୍ୟ ଦେଇଥିଲେ ।

ବିଜେପି ନେତା ଏସ୍ ଜୟଶଙ୍କର ତାଙ୍କ ନିର୍ବାଚନ ସତ୍ୟପାଠରେ କହିଛନ୍ତି ଯେ ତାଙ୍କର ମୋଟ ୨୦.୦୯ କୋଟିର ସମ୍ପତ୍ତି ରହିଛି। ଯେଉଁଥିରେ ଦୁଇଟି ଘର ଅଛି । ଦୁଇଟି ଯାକ ଘର ରାଜଧାନୀ ଦିଲ୍ଲୀରେ ଅଛି | ନିକଟରେ ସେ ଦିଲ୍ଲୀରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି | ଏହାଛଡ଼ା ଜୟଶଙ୍କର ମଧ୍ୟ ଶିମଲାରେ ଥିବା ୧.୫ ଏକର ଚାଷ ଜମିର ମାଲିକ ଅଟନ୍ତି।

ଜୟଶଙ୍କର ତାଙ୍କ ସତ୍ୟପାଠରେ କହିଛନ୍ତି, ତାଙ୍କର ଆୟର ଉତ୍ସ ହେଉଛି ରାଜ୍ୟସଭା ସଦସ୍ୟ ଭାବେ ମିଳୁଥିବା ଦରମା ଏବଂ ଭଡ଼ା । ଅନ୍ୟପକ୍ଷରେ ତାଙ୍କ ପତ୍ନୀ କ୍ୟୋକୋ ଜୟଶଙ୍କର କନସଲଟାନ୍ସି କ୍ଷେତ୍ରରୁ ଆୟ କରନ୍ତି। କ୍ୟୋକୋ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଜିଏମଆର ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପରାମର୍ଶଦାତା ଭାବେ କାର୍ଯ୍ୟ କରନ୍ତି | ସୂଚନାନୁସାରେ, କ୍ୟୋକୋଙ୍କ ଉପରେ ୧.୧୨ ଲକ୍ଷ ଟଙ୍କା ଜିଏସଟି ମଧ୍ୟ ବକେୟା ରହିଛି ।

ଗତ ୪ ବର୍ଷ ମଧ୍ୟରେ ଜୟଶଙ୍କର ନୂଆ ଆପାର୍ଟମେଣ୍ଟ କିଣିବା ସହ ବିଦେଶୀ ବ୍ୟାଙ୍କରେ ତାଙ୍କ ଜମା ଟଙ୍କା ଏବଂ ଅଳଙ୍କାରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ସିଙ୍ଗାପୁର, ଟୋକିଓ ଏବଂ ୱାଶିଂଟନ୍ ଡିସିରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ ରହିଛି। ଅନ୍ୟପକ୍ଷରେ ଜୟଶଙ୍କରଙ୍କ ପତ୍ନୀ କ୍ୟୋକୋଙ୍କ ବିଦେଶରେ ଜମା ହୋଇଥିବା ସମ୍ପତ୍ତି ହ୍ରାସ ପାଇଛି।

୨୦୧୯ ସତ୍ୟପାଠରେ ଜୟଶଙ୍କର କହିଥିଲେ ଯେ ତାଙ୍କ ପତ୍ନୀ ବିଦେଶରେ ୨୯.୧୨ ଲକ୍ଷ ଟଙ୍କା ଜମା କରିଛନ୍ତି। କିନ୍ତୁ ଏବେ ଏହା ୨୪.୪୬ ଲକ୍ଷ ଟଙ୍କାକୁ ଖସି ଆସିଛି। ଜୟଶଙ୍କରଙ୍କ ପତ୍ନୀ କ୍ୟୋକୋଙ୍କ ୱାଶିଂଟନ୍ ଏବଂ ଟୋକିଓରେ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଅଛି |

ଗତ ଚାରି ବର୍ଷ ମଧ୍ୟରେ ଜୟଶଙ୍କରଙ୍କ ଋଣ ମଧ୍ୟ ହ୍ରାସ ପାଇଛି। ୨୦୧୯ରେ ଜୟଶଙ୍କର ଏବଂ ତାଙ୍କ ପତ୍ନୀଙ୍କର ୫.୨୫ କୋଟି ଟଙ୍କା ଋଣ ଥିବାବେଳେ ବର୍ତ୍ତମାନ ଏହା ମାତ୍ର ୧୮.୪୮ ଲକ୍ଷ ଟଙ୍କାକୁ ଖସି ଆସିଛି। ତାଙ୍କ ପାଖରେ ୮୦,୦୦୦ ଟଙ୍କା ନଗଦ ଅଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ୨୦୧୯ରେ ତାଙ୍କ ପାଖରେ ୧.୨ ଲକ୍ଷ ଟଙ୍କା ନଗଦ ଥିଲା |

କ୍ୟୋକୋ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ। ତାଙ୍କର ପ୍ରଥମ ପତ୍ନୀ ଶୋଭା ଗତ ବର୍ଷ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ। ଜୟଶଙ୍କର ୧୯୯୬ ମସିହାରେ ଜାପାନରେ ଡେପୁଟି ଚିଫ୍ ଅଫ୍ ମିଶନ ହୋଇଥିଲେ ଏବଂ ସେଠାରେ ପ୍ରାୟ ୪ ବର୍ଷ ରହିଥିଲେ | ଏହି ସମୟରେ ସେ କ୍ୟୋକୋଙ୍କୁ ଭେଟିଥିଲେ। ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା ଏବଂ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ | ଖୁବ୍ କମ୍ ଲୋକ ଜାଣନ୍ତି ଯେ ଜୟଶଙ୍କରଙ୍କୁ ବିବାହ କରିବା ପରେ କ୍ୟୋକୋ ମଧ୍ୟ ତାଙ୍କର ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ।

Comments are closed.