ଟି-୨୦ ବିଶ୍ୱକପ: ଆଜି ଟାଇଟଲ୍ ଲଢ଼େଇ, ପ୍ରଥମ ଥର ଚାମ୍ପିୟନ ହେବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ

ଦୁବାଇ: ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ ଆଜି ଦୁଇ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ତଥା ପଡ଼ୋଶୀ ଦେଶ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏଥିପାଇଁ ଦୁଇ ଦଳ ପ୍ରସ୍ତୁତ । ଉଭୟ ଦଳ ପାଖରେ ଟାଇଟଲ ଜିତି ଇତିହାସ ରଚିବାକୁ ସୁଯୋଗ ରହିଛି । କାରଣ ଦୁଇ ଟିମ୍ ମଧ୍ୟରୁ ଯେ କେହି ବି ବିଜୟୀ ହେଲେ ଟି୨୦ ଫର୍ମାଟରେ ଏକ ନୂଆ ବିଶ୍ୱ ଚାମ୍ପିୟନକୁ ଦେଖିବାକୁ ମିଳିବ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପୂର୍ବରୁ ଥରେ ବି ଟି୨୦ ବିଶ୍ୱକପ ଟାଇଟଲ ଜିତି ନାହାନ୍ତି । ଏବେ ଏହି ଅଭାବକୁ ପୂରଣ କରିବା ପାଇଁ ଦୁଇ ଦଳ ଅଣ୍ଟା ଭିଡ଼ିଛନ୍ତି ।

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଟାଇଟଲ ଦାବିଦାର ଭାବେ ବିବେଚନା କରାଯାଉନଥିଲା । ହେଲେ ସବୁ ପୂର୍ବାନୁମାନକୁ ଭୁଲ୍ ସାବ୍ୟସ୍ତ କରି ଏହି ଦୁଇ ପଡ଼ୋଶୀ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସେମିରେ ଉଭୟ ଟିମ୍ ନିଜ ଠାରୁ ଶକ୍ତିଶାଳୀ ଦଳକୁ ହରାଇଥିଲେ । ସେମିରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡକୁ ସ୍ତବ୍ଧ କରିିଦେଇଥିବା ବେଳେ ଅନ୍ୟ ଏକ ସେମିରେ ପାକିସ୍ତାନକୁ ହରାଇଥିଲା ଅଷ୍ଟ୍ରେଲିଆ । ସେମିରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଦୁଇ ଦଳଙ୍କ ମଧ୍ୟରେ ‘ରିଙ୍ଗ୍ ଅଫ୍ ଫାୟାର’ ଭାବେ ପରିଚିତ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ରୋମାଞ୍ଚକ ଟାଇଟଲ ଲଢେଇ ହେବ ବୋଲି ଆଶା କରାଯାଉଛି ।

ଅଷ୍ଟ୍ରେଲିଆ ରେକର୍ଡ ପାଞ୍ଚ ଥର ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଜିତିଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ କଙ୍ଗାରୁ ଦଳ ଟି୨୦ ବିଶ୍ୱକପରେ ସଫଳ ହୋଇପାରି ନାହିଁ । ଅନ୍ୟପକ୍ଷେ ନ୍ୟୁଜିଲାଣ୍ଡ ମଧ୍ୟ ଆଇସିସି ସୀମିତ ଓଭର ଇଭେଣ୍ଟ ଗୁଡିକରେ ସର୍ବଦା ଭଲ ପ୍ରଦର୍ଶନ କରିଥିଲେ ବି ଟାଇଟଲ୍ ଜିତିପାରି ନାହିଁ । ହେଲେ କେନ୍ ୱିଲିୟମସନଙ୍କ ଦଳ ପ୍ରଥମ ଥର ସୀମିତ ଓଭର ଫର୍ମାଟରେ ବିଶ୍ୱ ଟାଇଟଲ ହାତେଇବାକୁ ସଂକଳ୍ପବଦ୍ଧ ଥିବା ପରି ମନେ ହେଉଛି । ଚଳିତ ବର୍ଷଜ ଜୁନରେ ନ୍ୟୁଜିଲାଣ୍ଡ୍ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ହାସଲ କରିଥିଲା । ଏବେ ଟି୨୦ ବିଶ୍ୱକପ୍ ଜିତିବା ପାଇଁ ୱିଲିୟମସନଙ୍କ ଟିମ୍ ପାଖରେ ସୁବର୍ଣ୍ଣ ସୁଯୋଗ ଅଛି । ଯଦି ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ ଟାଇଟଲ୍ ବିଜୟୀ ହୁଏ, ତେବେ ଏହା ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଛୋଟିଆ ଦେଶ ପାଇଁ ଏକ ବଡ଼ ଉପଲବ୍ଧି ହେବ ।

ଟି୨୦ ଅନ୍ତର୍ଜାତିକୀରେ ଉଭୟ ଦଳ ମଧ୍ୟରେ ହୋଇଥିବା ଓଭରଅଲ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆର ପଲା ଭାରୀ ରହିଛି । ହେଲେ ଏହି ଫର୍ମାଟର ବିଶ୍ୱକପରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଏହା ପୂର୍ବରୁ କେବଳ ଥରେ ମୁହାଁମୁହିଁ ହୋଇଥିଲେ । ଭାରତରେ ଅନୁଷ୍ଠିତ ୨୦୧୬ ସଂସ୍କରଣରେ ଦୁଇ ଦଳ ମଧ୍ୟରେ ହୋଇଥିବା ମୁକାବିଲାରେ ନ୍ୟୁଜିଲାଣ୍ଡ ବାଜି ମାରିବାରେ ସଫଳ ହୋଇଥିଲା । ଏବେ ଦୁଇ ଦଳ ଦ୍ୱିତୀୟ ଥର ଟି୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଏବଂ ତା’ପୁଣି ଫାଇନାଲରେ ।

ଶେଷଥର ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ୨୦୧୫ ଦିନିକିଆ ବିଶ୍ୱକପ୍ ଫାଇନାଲରେ ପରସ୍ପରକୁ ଭେଟିଥିଲେ । ହେଲେ ଅଷ୍ଟ୍ରେଲିଆ ଅତି ସହଜରେ ନ୍ୟୁଜିଲାଣ୍ଡକୁ ଧରାଶାୟୀ କରି ଚାମ୍ପିୟନ ହୋଇଥିଲା । ସେହି ବିଶ୍ୱକପ୍ ସଂସ୍କରଣ ପରଠୁ ଅଷ୍ଟ୍ରେଲିଆ ମଧ୍ୟ ଆଉ କୌଣସି ଆଇସିସି ଟ୍ରଫି ଜିତିପାରି ନାହିଁ । ଏବେ ନ୍ୟୁଜିଲାଣ୍ଡ ପାଖରେ ୨୦୧୫ ଦିନିକିଆ ବିଶ୍ୱକପ ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି ।

ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡର ବୋଲିଂ ଆକ୍ରମଣ ଅନ୍ୟ ଦଳମାନଙ୍କ ଅପେକ୍ଷା ଚମତ୍କାର ପ୍ରଦର୍ଶନ କରିଛି । ଏହାଛଡ଼ା ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷ ସେମିରେ ନ୍ୟୁଜିଲାଣ୍ଡ ନିଜ ବ୍ୟାଟିଂ ଦକ୍ଷତାର ମଧ୍ୟ ପ୍ରମାଣ ଦେଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଓପନର ମାର୍ଟିନ ଗପ୍ଟିଲଙ୍କ ଭଲ ରେକର୍ଡ ଅଛି । ତାଙ୍କ ଓପନିଂ ପାର୍ଟନର ଡାରିଲ ମିଚେଲ ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷ ସେମିରେ ମିଚେଲ ତାଙ୍କ ଜୀବନର ଶ୍ରେଷ୍ଠ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ଯଦିଓ ଅଧିନାୟକ କେନ୍ ୱିଲିୟମସନ୍ ଏଯାବତ ୍ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି, ଫାଇନାଲରେ ତାଙ୍କ ବ୍ୟାଟରୁ ରନ୍ ବର୍ଷା ନେଇ ଦଳ ଆଶାବାଦୀ ଅଛି ।

ଇଂଲଣ୍ଡ ବିପକ୍ଷ ସେମିରେ ଅଲରାଉଣ୍ଡର ଜିମ୍ମି ନିଶମ୍ ତାଙ୍କ ଦକ୍ଷତା ପ୍ରତିପାଦିତ କରିଥିଲେ । ଗୋଟିଏ ଓଭରରେ ୨୩ ରନ୍ ସଂଗ୍ରହ କରି ଇଂଲଣ୍ଡ ହାତରୁ ମ୍ୟାଚ୍ ଛଡାଇ ଆଣିଥିଲେ ନିଶମ୍ । ହେଲେ ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଏକ ଶକ୍ତ ଧକ୍କା ଲାଗିଛି । ଦଳର ଅନ୍ୟତମ ଷ୍ଟାର ବ୍ୟାଟର ଡେଭନ କନୱେ ଆଘାତ କାରଣରୁ ଫାଇନାଲରୁ ବଞ୍ଚିତ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ସେମିରେ ଆଉଟ୍ ହେବା ପରେ ପ୍ରତିକ୍ରିୟାଶୀଳ ହେବା ବେଳେ କନୱେ ନିଜ ହାତକୁ ହିଁ ବ୍ୟାଟର ବାଡେଇ ଦେଇଥିଲେ । ଫଳରେ ତାଙ୍କ ହାତ ଭାଙ୍ଗି ଯାଇଥିଲା । କନୱେଙ୍କ ସ୍ଥାନରେ ଟିମ୍ ସାଇଫର୍ଟ ଖେଳିବା ସମ୍ଭାବନା ରହିଛି ।

ନ୍ୟୁଜିଲାଣ୍ଡର ଅଭିଜ୍ଞ ପେସ୍ ଯୋଡ଼ି ଟିମ୍ ସାଉଦି ଓ ଟ୍ରେଣ୍ଟ ବୋଲ୍ଟ ଅଷ୍ଟ୍ରେଲିଆ ଟପ୍ ଅର୍ଡର ପାଇଁ ବିପଦ ସାଜିପାରନ୍ତି । ବିଶେଷକରି ପାୱାରପ୍ଲେ’ରେ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କୁ ସାଉଦି-ବୋଲ୍ଟ ଯାଡି ରୋକିବା ଲକ୍ଷ୍ୟରେ ରହିବେ । ଅନ୍ୟପକ୍ଷେ ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ଖାତା ଖୋଲିନପାରି ଆଉଟ୍ ହୋଇଥିବା ଫିଞ୍ଚ୍ ଫାଇନାଲରେ ଏକ ବଡ଼ ଇନିଂସ୍ ଖେଳିବାକୁ ବ୍ୟଗ୍ର । ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଫିଞ୍ଚଙ୍କ ରେକର୍ଡ ଭଲ ଅଛି । ତା’ଛଡ଼ା ଫର୍ମକୁ ଫେରି ବିପଜ୍ଜନକ ମନେ ହେଉଥିବା ୱାର୍ଣ୍ଣର ଆଉ ଏକ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିବାକୁ ଚାହିଁବେ । ସେମିଫାଇନାଲରେ ଦଳର ବିଜୟରେ ନାୟକ ସାଜିଥିବା ମାର୍କସ୍ ଷ୍ଟୋଇନିସ୍ ଓ ମାଥ୍ୟୁ ୱେଡଙ୍କ ମନୋବଳ ଉଚ୍ଚ ରହିଛି । ଦୁହେଁ ଉକ୍ତ ପ୍ରଦର୍ଶନକୁ ଫାଇନାଲରେ ମଧ୍ୟ ଦୋହରାଇବେ ବୋଲି ଦଳ ଆଶା ରଖିଛି । ସେମିରେ ଫେଲ୍ ମାରିବା ପରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଠାରୁ ମଧ୍ୟ ରନ୍ ବର୍ଷା ଦେଖିବାକୁ ଅଷ୍ଟ୍ରେଲୀୟ ଟିମ୍ ମ୍ୟାନେଜମେଣ୍ଟ ଚାହିଁବ ।

ଅଷ୍ଟ୍ରେଲିଆର ପେସ୍ ବୋଲିଂ ବିଭାଗ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋସ ହାଜଲଉଡଙ୍କୁ ନେଇ ବେଶ୍ ଶାଣିତ । ପାକିସ୍ତାନ ବିପକ୍ଷ ସେମିରେ କିନ୍ତୁ ଅଷ୍ଟ୍ରେଲିଆର ଏହି ପେସ୍ ଆକ୍ରମଣ ସେଭଳି ସଫଳତା ହାସଲ କରିପାରିନଥିଲେ । ହେଲେ ନ୍ୟୁଜିଲାଣ୍ଡର ଇନଫର୍ମ ବ୍ୟାଟିଂ ଲାଇନ୍ ଅପ୍ ଉପରେ ଅଙ୍କୁଶ ଲଗାଇବା ପାଇଁ ସେମାନେ ଉଦ୍ୟମ କରିବେ । ସ୍ପିନ୍ ବିଭାଗ ଦାୟିତ୍ୱ ଆଡାମ୍ ଜାମ୍ପା ଓ ମ୍ୟାକ୍ସୱେଲଙ୍କ ଉପରେ ରହିବ ।

Comments are closed.