ବକ୍ସିଂ ଡେ ଟେଷ୍ଟରେ ଇଂଲଣ୍ଡର ଆତ୍ମସମର୍ପଣ, ଆସେସ୍ ଟ୍ରଫି ବଜାୟ ରଖିଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଆସେସ୍ ସିରିଜ୍ କବଜା କରିଛି | ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଏବଂ ୧୪ ରନରେ ହରାଇଛି ଅଷ୍ଟ୍ରେଲିଆ । ଏଥିସହ ଘରୋଇ ଦଳ ସିରିଜର ୩-୦ ଅପରାଜୟ ଅଗ୍ରଣୀ ହାସଲ କରି ଆସେସ୍ ଟ୍ରଫି ବଜାୟ ରଖିଛି ।

ଏହି ପରାଜୟ ଦୀର୍ଘ ସମୟ ଧରି ଇଂଲଣ୍ଡକୁ ଦୋହଲାଇବ | ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଇଥିବା ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳ ମାତ୍ର ଅଢେଇ ଦିନ ମଧ୍ୟରେ ଶୋଚନୀୟ ଇନିଂସ ପରାଜୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ଇନିଂସରେ ଡେବୁଟାଣ୍ଟ ସ୍କଟ୍ ବୋଲାଣ୍ଡ ଚମତ୍କାର ବୋଲିଂ କରି ମାତ୍ର ଚାରି ଓଭରରେ ସାତ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ମାତ୍ର ୬୮ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ କେବଳ ଜୋ ରୁଟ୍ ଏବଂ ବେନ୍ ଷ୍ଟୋକ୍ସ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ |

ଅଷ୍ଟ୍ରେଲିଆ ଟସ୍ ଜିତି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ମାତ୍ର ୧୮୫ ରନରେ ଅଲ୍ଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ଅଧିନାୟକ ରୁଟ୍ ସର୍ବାଧିକ ୫୦ ରନ୍ ଯୋଗଦାନ କରିଥିଲେ । ଅଷ୍ଟ୍ରେଲିଆ ତରଫରୁ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ଏବଂ ନାଥାନ୍ ଲାୟନ୍ ପ୍ରତ୍ୟେକ ତିନିଟି ଲେଖାଏଁ ୱିକେଟ୍ ନେଇଥିଲେ। ଇଂଲଣ୍ଡର ୧୮୫ ରନ ଜବାବରେ ଅଷ୍ଟ୍ରେଲିଆ ୨୬୭ ରନ୍ କରିଥିଲା। ମାର୍କସ୍ ହାରିସ୍ ସର୍ବାଧିକ ୭୬ ରନ୍ କରିଥିଲେ ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଆଧାରରେ ୮୨ ରନର ଅଗ୍ରଣୀ ହାସଲ କରିଥିଲା ​​| ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଇଂଲଣ୍ଡ ଚାରି ୱିକେଟ୍ ହରାଇ ପରାଜୟ ବିପଦରେ ଥିଲା । କିନ୍ତୁ ତୃତୀୟ ଦିନରେ ବୋଲାଣ୍ଡ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ଧରାଶାୟୀ କରିଥିଲେ। ମିଚେଲ ଷ୍ଟାର୍କ ଦ୍ୱିତୀୟ ଇନିଂସରେ ତିନୋଟି ୱିକେଟ୍ ନେଇଥିଲେ। ଆସେସ୍ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଜାନୁୟାରୀ ୫ରୁ ଖେଳାଯିବ |

Comments are closed.