ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଡିନ୍ ଜୋନସଙ୍କ ପରଲୋକ, ମୁମ୍ବାଇରେ ହୃଦଘାତରେ ୫୯ ବର୍ଷ ବୟସରେ ଆଖି ବୁଜିଲେ କିମ୍ବଦନ୍ତୀ ବ୍ୟାଟସମ୍ୟାନ୍

ମୁମ୍ବାଇ- ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଡିନ୍ ଜୋନସଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି । ମାତ୍ର ୫୯ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି । ୟୁଏଇରେ ଚାଲିଥିବା ଆଇପିଏଲ ସିଜନ ୧୩ ପାଇଁ ସେ ପ୍ରସାରଣକାରୀ ସଂସ୍ଥା ପକ୍ଷରୁ ଭାଷ୍ୟକାର ଟିମ୍‌ର ସଦସ୍ୟ ଥିଲେ ଡିନ୍ ଜୋନସ୍ । ମୁମ୍ବାଇର ଏକ ସେଭେନ ଷ୍ଟାର ହୋଟେଲରେ ବାୟୋ ସିକ୍ୟୁର ବବଲରେ ଥିବା ବେଳେ ଜୋନସଙ୍କ ମୃତ୍ୟୁ ହୋଇଛି । ଭାରତୀୟ ଗଣମାଧ୍ୟମରେ ବେଶ୍ ଲୋକପ୍ରିୟ ଥିଲେ ଡିନ୍ ଜୋନ୍‌ସ । ଡିନ୍ ଜୋନସଙ୍କ ମୃତ୍ୟୁରେ କ୍ରିକେଟ ଜଗତରେ ବିଷାଦର ଛାୟା ଖେଳାଯାଇଛି ।

ମେଲବୋର୍ନରେ ଜନ୍ମିତ ଡିନ୍ ଜୋନ୍‌ସ ୫୨ଟି ଟେଷ୍ଟ ଖେଳିଥିଲେ । ୪୬ ଦଶମିକ ୫୫ ଆଭରେଜରେ ଜୋନସ୍ ୩ ହଜାର ୬୩୧ ରନ ସଂଗ୍ରହ କରିଥିଲେ । ୨୧୬ ଥିଲା ତାଙ୍କର ବ୍ୟକ୍ତିଗତ ସର୍ବାଧିକ ଟେଷ୍ଟ ସ୍କୋର୍ । ସେ ୧୧ଟି ଟେଷ୍ଟ ଶତକ ହାସଲ କରିଥିଲେ । ଅଶୀ ଦଶକରେ ଆଲାନ ବର୍ଡର ନେତୃତ୍ୱାଧି ଅଷ୍ଟ୍ରେଲିଆ ଟିମରେ ଜୋନ୍‌ସ ଥିଲେ ଜଣେ ଗୁରୁତ୍ୱପୂଣ୍ଣ ର୍ ସଦସ୍ୟ । ୧୯୮୬ରେ ଚେନ୍ନାଇରେ ଭାରତ -ଅଷ୍ଟ୍ରେଲିଆ ଟାଇ ଟେଷ୍ଟ ମ୍ୟାଚରେ ଖେଳିଥିଲେ ଜୋନ୍ସ । ଜୋନସ୍ ୧୬୪ଟି ଦିନିକିଆ ଆନ୍ତର୍ଜାତିକୀ ଖେଳି ୭ଟି ଶତକ ସହ ୬ ହଜାର ୬୮ ରନ୍ ସଂଗ୍ରହ କରିଥିଲେ । ସେ ଜଣେ ମଧ୍ୟ ଦକ୍ଷ ଫିଲଡର ଭାବେ ଖ୍ୟାତି ଅର୍ଜନ କରିଥିଲେ । କ୍ରିକେଟରୁ ଅବସର ନେବା ପରେ ସେ ଭାଷ୍ୟକାର ଭାବେ ଲୋକପ୍ରିୟତାହାସଲ କରିଥିଲେ । ବେଳେବେଳେ ବିବାଦୀୟ ଟିପ୍ପଣୀ ଯୋଗୁଁ ସେ ସମାଲୋଚିତ ମଧ୍ୟ ହୋଇଥିଲେ ।

Comments are closed.