ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର: କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ କେବଳ ପ୍ରଣୟର ଉଦଘୋଷକ କିମ୍ବା ଆଳଙ୍କରିକ ଭାଷାର କବି କହିଲେ ଉପଯୁକ୍ତ ହେବନି। ବରଂ ସାଧାରଣ ଲୋକଙ୍କ ପାଇଁ ଅବୋଧ୍ୟ ଭାଷା ହେଲେ ହେଁ ତାହାକୁ ନିଜ ସାରସ୍ବତ ସୃଷ୍ଟିରେ ବହୁଳ ବ୍ୟବହାର କରି ଓଡ଼ିଆ ଭାଷାକୋଷକୁ ସମୃଦ୍ଧ କରିଥିଲେ ସେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ଅବସରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସାହିତ୍ୟ ପୁରସ୍କାର ଗ୍ରହଣ କରି ଏହା କହିଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୂର୍ବତନ ସଭାପତି ପଦ୍ମଭୂଷଣ ରମାକାନ୍ତ ରଥ।

ବିଶ୍ବବିଦ୍ୟାଳୟ କ୍ୟାମ୍ପସର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ପ୍ରଖ୍ୟାତ କୋଷଳି ଭାଷାବିତ୍ ତଥା ସମ୍ବଲପୁରର ବିଶିଷ୍ଟ ସାରସ୍ବତ ସାଧକ ପଦ୍ମଶ୍ରୀ ହଳଧର ନାଗ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ନରେନ୍ଦ୍ରପୁରର ବିଶିଷ୍ଟ ଶଙ୍ଖବାଦ୍ୟ ଓ ରଣପା, ଚଢେୟା ନୃତ୍ୟ ଗୁରୁ ରାଜେନ୍ଦ୍ର ମହାପାତ୍ର ଓ କୋରାପୁଟ ଜିଲ୍ଲାର ପାରମ୍ପରିକ କୋୟା ନୃତ୍ୟ ସାଧିକା ଶାନ୍ତି କବାସୀଙ୍କୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ଦିଆଯାଇ ଥିଲା। ଲୋକନୃତ୍ୟର ବିଶିଷ୍ଟ ଗବେଷକ ମନ୍ମଥ କୁମାର ଶତପଥୀ ଏବଂ ବିଶିଷ୍ଟ ସାହିତ୍ୟ ସାଧକ କ୍ରିଷ୍ଣାଚନ୍ଦ୍ର ତ୍ରିପାଠୀଙ୍କୁ ଅଙ୍ଗବସ୍ତ୍ର ସମ୍ମାନ ପ୍ରଦାନ କରାଯାଇ ଥିଲା। ସିଣ୍ଡିକେଟ୍ ବ୍ୟାଙ୍କ୍ ଅବସରପ୍ରାପ୍ତ ସିଇଓ ମୃତ୍ୟୃଞ୍ଜୟ ମହାପାତ୍ର ଏବଂ ଭୁବନେଶ୍ୱର ଆଇସିଏମଆର୍- ଆରଏମଆରସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତିଙ୍କୁ ଅନନ୍ୟ ପୂର୍ବ ଛାତ୍ର ଛାତ୍ରୀ ଭାବେ ସମ୍ମାନିତ କରାଯାଇଛି।

ପଦ୍ମଶ୍ରୀ ହଳଧର ନାଗ କହିଥିଲେ ଯେ ମଣିଷ ଯେତେ ଭିନ୍ନ ତାର ଭାଷା ଓ ସାହିତ୍ୟ ମଧ୍ୟ ସେତେ ଭିନ୍ନ। ଲୋକ ସାହିତ୍ୟ ଓ ସତ୍ ସାହିତ୍ୟ ଯାହା ସମାଜର ମାର୍ଗଦର୍ଶନ କରେ ତାହା ହିଁ କାଳଜୟୀ ସାହିତ୍ୟ।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ କୁଳସଚିବ ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଅତିଥି ପରିଚୟ କରିଥିଲେ। ଓଡ଼ିଶା ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା ଲୋଗୋ ଆଙ୍କିଥିବା ପ୍ରମତୋଷ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରେଷ୍ଠ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ, ଗବେଷକ ଓ ଗବେଷିକାଙ୍କୁ ପୁରସ୍କୃତ କରାଯାଇଥିଲା। କାବ୍ୟାଞ୍ଜଳି ମଧ୍ୟ ଲୋକାର୍ପଣ କରାଯାଇଛି।

Comments are closed.