ବାପା ହେଲେ ଭୁବନେଶ୍ୱର କୁମାର, କନ୍ୟା ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ନୂପୁର

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପ୍ରଥମ ଥର ବାପା ହୋଇଛନ୍ତି। ତାଙ୍କ ପତ୍ନୀ ନୂପୁର ନାଗର ବୁଧବାର ଦିନ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ବିବାହ ବାର୍ଷିକୀର ପରଦିନ ଭୁବନେଶ୍ୱର କୁମାରଙ୍କ ଘରକୁ ନୂଆ ସଦସ୍ୟ ଆସିଛି | ଚଳିତ ବର୍ଷ ପିତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ଭୁବନେଶ୍ୱରଙ୍କ ପରିବାରରେ ଖୁସି ଫେରି ଆସିଛି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭୁବନେଶ୍ୱର ଖେଳିଥିଲେ ।

ସେ ସିରିଜର ସମସ୍ତ ମ୍ୟାଚ୍ ଖେଳି ତିନୋଟି ୱିକେଟ୍ ନେଇଥିଲେ। ତାଙ୍କ ମା ଇନ୍ଦ୍ରଶ ଏବଂ ଭଉଣୀ ରେଖା ତାଙ୍କ ପତ୍ନୀଙ୍କ ସହ ଉପସ୍ଥିତ ଅଛନ୍ତି। ଏମଡିସିଏ କୋଷାଧ୍ୟକ୍ଷ ରାକେଶ ଗୋୟଲ କହିଛନ୍ତି ଯେ ସକାଳ ପ୍ରାୟ ୯ଟା ବେଳେ ଭୁବନେଶ୍ୱର କୁମାରଙ୍କ ପତ୍ନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଉଭୟ ମା-ଝିଅ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି | ଗୁରୁବାର ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ମଧ୍ୟ ମିରଟରେ ଥିବା ତାଙ୍କ ଗଙ୍ଗାନଗର ନିବାସରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

ଭୁବନେଶ୍ୱର କୁମାରଙ୍କ ପିତା କିରଣ ପାଲ ସିଂଙ୍କ ଚଳିତ ବର୍ଷ ମେ ୨୦ରେ ଦେହାନ୍ତ ହୋଇଥିଲା। ସେ ଦୀର୍ଘ ଦିନ ଧରି ଲିଭର୍ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ | ତାଙ୍କ ପିତାଙ୍କ ମୃତ୍ୟୁରେ ଭୁବନେଶ୍ୱର କୁମାରଙ୍କୁ ଗଭୀର ମାନସିକ ଆଘାତ ଲାଗିଥିଲା, ଯାହା ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ପ୍ରଭାବ ପକାଇଥିଲା। ବର୍ତ୍ତମାନ ଝିଅର ଜନ୍ମ ପରେ ପରିବାରରେ ଖୁସିର ବାତାବରଣ ସୃଷ୍ଟି ହୋଇଛି, ଯେଉଁଥିପାଇଁ ପିତାଙ୍କ ବିୟୋଗରେ ଦୁଃଖ ମଧ୍ୟ କିଛି ମାତ୍ରାରେ ଲାଘବ ହୋଇଛି |

Comments are closed.