ରାଜଧାନୀ ହେବ ଭିକାରୀମୁକ୍ତ: ଏବେ ଭିକ୍ଷାବୃତି କରୁଥିବା ବ୍ୟକ୍ତିଙ୍କୁ ଥଇଥାନ

ଭୁବନେଶ୍ୱର: ବାସହୀନ ଏବଂ ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳୀର ସାମୁଦାୟିକ ସେବା ନିଶ୍ଚିତ କରିବା ସହିତ ଭୁବନେଶ୍ବର ମହାନଗର ନିଗମାଂଚଳରେ ଭିକ୍ଷାବୃତି କରୁଥିବା ବ୍ୟକ୍ତିମାନଙ୍କୁ ଥଇଥାନ କରିବାର ନିଷ୍ପତି ନେଇଛନ୍ତି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷ ।

ବିଏମ୍‌ସି ଇଲାକାରେ ଭିକ୍ଷାବୃତି ବନ୍ଦ କରାଇବା ସହିତ ସେମାନଙ୍କର ଥଇଥାନ ଏବଂ ପରବର୍ତୀ ବିକାଶ ନିମନ୍ତେ ଏକ ପ୍ରାଥମିକ ପଦକ୍ଷେପ ସ୍ଵରୁପ ଥଇଥାନ କେନ୍ଦ୍ର ସ୍ଥାପନ କରିବା ପାଇଁ ନିଷ୍ପତି ନିଆଯାଇଛି ।

ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ଵରରେ ଭିକ୍ଷାବୃତି କରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳୀରେ ରଖାଯାଇ ଆବଶ୍ୟକୀୟ ପରାମର୍ଶ ଏବଂ ଆଲୋଚନା ମାଧ୍ୟମରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ଏହି ମର୍ମରେ ଭୁବନେଶ୍ୱର ମହାନଗର ନିଗମ ପ୍ରତ୍ୟେକ ଅଂଚଳିକ କାର୍ଯ୍ୟାଳୟ ଅଧିନରେ ଗୋଟିଏ ଲେଖାଏଁ ଥଇଥାନ କେନ୍ଦ୍ର ଖୋଲିବାର ଯୋଜନା କରିଛି । ଏଥିପାଇଁ ପେଷାଦାର ସଂସ୍ଥାଙ୍କୁ ନିୟୋଜିତ କରାଇ ସେମାନଙ୍କ ମାଧ୍ୟମରେ ଏହାର ସଂଗଠନ ଓ ପରିରଳନା କରାଯିବ । ତିନୋଟି ଅଂଚଳିକ କାର୍ଯ୍ୟାଳୟ ଅଧିନରେ ପ୍ରତ୍ୟେକଟିରେ ୧୦୦ ଶଯ୍ୟା ବିଶିଷ୍ଟ ଭିକାରୀ ଥଇଥାନ କେନ୍ଦ୍ର କରିବା ପାଇଁ ନିବିଦା ଆହ୍ବାନ କରିଛନ୍ତି କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ କି, ପ୍ରତ୍ୟେକ ଆଚଳିକ କାର୍ଯ୍ୟାଳୟ ଅଧିନରେ ଗୋଟିଏ ଲେଖାଏଁ ଥଇଥାନ କେନ୍ଦ୍ର ବିବିଧ ବର୍ଗ ପାଇଁ ଉଦ୍ଦିଷ୍ଟ ରହିବ । ସେଗୁଡ଼ିକ ହେଲା – ବୟୋଜ୍ୟେଷ୍ଠ ବର୍ଗ , ମହିଳା ଓ ଶିଶୁ ବର୍ଗ ଏବଂ ଭିନ୍ନକ୍ଷମ ବର୍ଗ । ତେବେ ଏଥିପାଇଁ ପ୍ରସ୍ତୁତ ହୋଇଥିବା ପ୍ରସ୍ତାବ ନିର୍ଦ୍ଦେଶାବଳୀ ବା ଏକ୍ସପ୍ରେସନ୍ ଅଫ୍ ଇଂଟେରେଷ୍ଟ କୁ ଓଡ଼ିଶା ସରକାରଙ୍କ ନିକଟକୁ ପଠାଯାଇ ଏହାର ଅନୁମୋଦନ ଅଣାଯିବା ପରେ ବିଏମ୍‌ସି ପକ୍ଷରୁ ଏକ୍ସପ୍ରେସନ୍ ଅଫ ଇଂଟେରେଷ୍ଟ ବା ଇ ଓ ଆଇ ପାଇଁ ଆହ୍ବାନ କରାଯାଇଅଛି ବୋଲି କହିଛନ୍ତି ଡ଼େପୁଟି କମିଶନର କମଳାକାନ୍ତ ବେହେରା ।

ଅନ୍ୟ ପକ୍ଷରେ ସାରା ରାଜ୍ୟରେ ସର୍ବାଧିକ ବାସହୀନ ଆଶ୍ରୟସ୍ଥଳୀର ସୁପରିଚାଳନା କରିଆସୁଥିବା ସହିତ ନିକଟରେ ରାମ ମନ୍ଦିର ଇତ୍ୟାଦି ସ୍ଥାନରୁ ଭିକ୍ଷାବୃତି କରୁଥିବା ବ୍ୟକ୍ତି ମାନଙ୍କୁ ଆଣି ଆଶ୍ରୟସ୍ଥଳୀରେ ସ୍ଥାନ ଦେବା , ଏପରିକି ରାସ୍ତା କଡ଼ରେ ରହିଯାଉଥିବା ଶ୍ରମିକ ମାନେ ଯେଉଁମାନେ କି ଶୀତ କାକରରେ ରାତି ବିତାଉଥିଲେ ସେମାନଙ୍କୁ ଆଣି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯିବା ପରେ ଏବେ ଭିକ୍ଷାବୃତି କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ସ୍ଵତନ୍ତ୍ର ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିବାର ଏକ ଜନକଲ୍ୟାଣ ଉଦ୍ୟୋଗ ପାଇଁ ଆଗେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ ।

Comments are closed.