ଜୁନ୍ ୯ରୁ ଭୁବନେଶ୍ୱରରେ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ୯ରୁ ୧୮ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଫୁଟବଲ୍ ଟୁର୍ନାମେଣ୍ଟର ତୃତୀୟ ସିଜନ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ବ୍ୟତୀତ ଅନ୍ୟ ତିନି ଦଳ ଲେବାନନ୍, ମଙ୍ଗୋଲିଆ ଓ ଭାନୁଆଟୁ ଅଂଶଗ୍ରହଣ କରିବେ ।

ସଦ୍ୟତମ ଫିଫା ର଼୍ୟାଙ୍କିଙ୍ଗରେ ଲେବାନନ୍ ୯୯ତମ ସ୍ଥାନରେ ଥିବାବେଳେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣକାରୀ ଦଳ ମଧ୍ୟରେ ଭାରତ ୧୦୧ତମ ସ୍ଥାନରେ ରହିଛି। ଭାନୁଆଟୁ (୧୬୪) ଏବଂ ମୋଙ୍ଗୋଲିଆ (୧୮୩) ର଼୍ୟାଙ୍କିଙ୍ଗରେ ଭାରତ ତଳେ ଅଛନ୍ତି |

୨୦୧୮ରେ ମୁମ୍ବାଇରେ ଅନୁଷ୍ଠିତ ଟୁର୍ନାମେଣ୍ଟର ପ୍ରଥମ ସିଜନରେ ଭାରତ ଟାଇଟଲ୍ ଜିତିଥିଲା । କିନ୍ତୁ ୨୦୧୯ରେ ଅହମ୍ମଦାବାଦରେ ଅନୁଷ୍ଠିତ ଗତ ସଂସ୍କରଣରେ ନିରାଶାଜନକ ପ୍ରଦର୍ଶନ ସହ ଚତୁର୍ଥ ତଥା ଶେଷ ସ୍ଥାନରେ ରହିଥିଲା |

ସର୍ବଭାରତୀୟ ଫୁଟବଲ୍ ସଂଘ (ଏଆଇଏଫଏଫ) ସାଧାରଣ ସମ୍ପାଦକ ଶାଜି ପ୍ରଭାକରନ୍ କହିଛନ୍ତି ଯେ ବର୍ତ୍ତମାନ ପୁରୁଷ ଫୁଟବଲ ପାଇଁ ଦେଶରେ ବୃଦ୍ଧି ପାଉଥିବା ଆନ୍ତର୍ଜାତୀୟ ଭେନ୍ୟୁ ତାଲିକାରେ ଭୁବନେଶ୍ୱର ସାମିଲ ହେବ ।
ସେ କହିଛନ୍ତି, “ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ ପାଇଁ ଭୁବନେଶ୍ୱର ଅନ୍ୟତମ ଭେନ୍ୟୁ ଥିଲା । ଏହାଛଡ଼ା ଆମେ ଓଡ଼ିଶା ସରକାରଙ୍କ ଦ୍ବାରା ନିର୍ମିତ କେତେକ ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି ଦେଖିଛୁ।

ପ୍ରଭାକରନ୍ କହିଛନ୍ତି, ଅଣ୍ଡର-୧୭ ମହିଳା ବିଶ୍ୱକପ୍ ପରେ ଭୁବନେଶ୍ୱରରେ ପ୍ରଥମ ଥର ବରିଷ୍ଠ ପୁରୁଷ ଜାତୀୟ ଦଳର ଅନ୍ତର୍ଜାତୀୟ ମ୍ଯାଚ୍ ଆୟୋଜନ ପାଇଁ ବାଟ ଖୋଲିଛି।

ଭାରତୀୟ ପୁରୁଷ ଜାତୀୟ ଦଳ ପୂର୍ବରୁ ମଙ୍ଗୋଲିଆ ଏବଂ ଭାନୁଆଟୁ ବିପକ୍ଷରେ ଖେଳି ନାହିଁ। ଭାରତ ପୂର୍ବରୁ ଲେବାନନ ବିପକ୍ଷରେ ୬ଟି ମ୍ୟାଚ୍ ଖେଳିଛି।

ଭାରତୀୟ ଦଳ ଘରୋଇ ମାଟିରେ ଗତ ପାଞ୍ଚଟି ମ୍ୟାଚରେ ଅପରାଜେୟ ରହିଛି। ଏହି ବିଜୟ ଧାରା ଗତ ବର୍ଷ ଜୁନ୍ ୮ରେ କୋଲକାତାରେ ଏଏଫସି ଏସିଆ କପ୍ କ୍ବାଲିଫାୟରରେ କାମ୍ବୋଡିଆ ବିପକ୍ଷ ୨-୦ ବିଜୟରୁ ଆରମ୍ଭ ହୋଇଥିଲା ।
ଏହା ପରେ ଇଗୋର ଷ୍ଟିମାକଙ୍କ ଦଳ ଇମ୍ଫାଲରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ (୨-୧) ଏବଂ ହଂକଂ (୪-୦) କୁ ପରାସ୍ତ କରିବା ପୂର୍ବରୁ ମିଆଁମାର (୧-୦) ଏବଂ କିର୍ଗିଜସ୍ଥାନ (୨-୦)କୁ ହରାଇଥିଲା ।

Comments are closed.