ବିକ୍ରମ ଆରୁଖ ଗଞ୍ଜାମରୁ ଷଷ୍ଠ ବାଚସ୍ପତି, ଅନ୍ୟ ପାଞ୍ଚ କିଏ ଜାଣନ୍ତୁ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି । ସେ ନିର୍ଦ୍ବନ୍ଦ୍ବରେ ଏହି ସାମ୍ବିଧାନିକ ପଦରେ ନିର୍ବାଚିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ଷଷ୍ଠ ବିଧାୟକ ଭାବେ ବିକ୍ରମ ଆରୁଖ ବାଚସ୍ପତି ହୋଇଛନ୍ତି ।

ରାଜ୍ୟ ରାଜନୀତିରେ ସର୍ବଦା ମହତ୍ତ୍ଵ ରଖୁଥିବା ଗଞ୍ଜାମ ଜିଲ୍ଲାର ପୂର୍ବରୁ ପାଞ୍ଚ ନେତା ବିଧାନସଭା ବାଚସ୍ପତି ପଦ ଅଳଙ୍କୃତ କରିଛନ୍ତି । ବିଧାନସଭା ରେକର୍ଡ ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ପ୍ରଥମ ନେତା ଭାବେ ବାଚସ୍ପତି ହୋଇଥିଲେ ଲାଲ ମୋହନ ପଟ୍ଟନାୟକ । ଲାଲ ମୋହନ ପଟ୍ଟନାୟକ ୧୯୪୬ରୁ ୫୨ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ । ଗଞ୍ଜାମରୁ ଦ୍ବିତୀୟ ବାଚସ୍ପତି ଥିଲେ ଲିଙ୍ଗରାଜ ପାଣିଗ୍ରାହୀ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଅବସର ନେବା ପରେ ସେ କଂଗ୍ରେସ ଟିକେଟରେ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ବାଚସ୍ପତି ପଦ ଅଳଙ୍କୃତ କରିଥିଲେ। ୧୯୮୦ ନିର୍ବାଚନରେ ସୋମନାଥ ରଥ ଭଞ୍ଜନଗରରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଧାନସଭା ବାଚସ୍ପତି ହୋଇଥିଲେ। ପୁଣି ୧୯୯୭ରେ ଗଞ୍ଜାମ ଜିଲ୍ଲାର ଚତୁର୍ଥ ନେତା ଭାବେ ଚିନ୍ତାମଣି ଦ୍ୟାନ ସାମନ୍ତରାୟ ରାଜ୍ୟ ବିଧାନସଭାରେ ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ। ବରିଷ୍ଠ ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ୨୦୧୯ ରୁ ୨୦୨୨ ଯାଏଁ ଗଞ୍ଜାମରୁ ପଞ୍ଚମ ନେତା ଭାବେ ବାଚସ୍ପତି ହୋଇଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ ୨୦୨୨ରେ ଜୁନ୍ ୪ ରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏବେ ତାଙ୍କ ସ୍ଥାନରେ ଗଞ୍ଜାମର ଷଷ୍ଠ ବିଧାୟକ ଭାବେ ବିଧାନସଭା ବାଚସ୍ପତି ହୋଇଛନ୍ତି । ସୋମନାଥ ରଥଙ୍କ ପରେ ବିକ୍ରମ ଆରୁଖ ବାଚସ୍ପତି ପଦ ଅଳଙ୍କୃତ କରିବାରେ ଭଞ୍ଜନଗରର ଦ୍ବିତୀୟ ବିଧାୟକ ।

Comments are closed.