ନେପାଳ: ଦୁର୍ଘଟଣାଗ୍ରସ୍ତ ବିମାନର ଦୁଇଟି ‘ବ୍ଲାକ୍ ବକ୍ସ’ ମିଳିଲା

କାଠମାଣ୍ଡୁ: ନେପାଳର ‘ୟେତି ଏୟାରଲାଇନ୍ସ’ର ଦୁର୍ଘଟଣାଗ୍ରସ୍ତ ବିମାନର ଦୁଇଟି ଯାକ ‘ବ୍ଲାକ୍ ବକ୍ସ ‘ମିଳିଛି ।

ରବିବାର ‘ୟେତି ଏୟାରଲାଇନ୍ସ’ର ଏଟିଆର୍-୭୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ୪ ଜଣ କ୍ରୁ ମେମ୍ବରଙ୍କ ସମେତ ୭୨ ଜଣ ଯାତ୍ରୀ ଥିଲେ । ଏଥିମଧ୍ୟରୁ ୬୮ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ଅନ୍ୟ ଚାରିଜଣ ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି।

ଗତ ୩୦ ବର୍ଷରେ ଏହି ହିମାଳୟ ଦେଶରେ ଏହା ସବୁଠାରୁ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଥିଲା ।

‘ୟେତି ଏୟାରଲାଇନ୍ସ’ ମୁଖପାତ୍ର ସୁଦର୍ଶନ ବାର୍ତୋଲା କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ବିମାନର ‘ବ୍ଲାକ୍ ବକ୍ସ’ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଏହାକୁ ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏଏନ୍) କୁ ହସ୍ତାନ୍ତର କରାଯାଇଛି ।

‘ସିଏଏଏନ୍’ର ସୂଚନା ଅନୁଯାୟୀ, ଏଟିଆର-୭୨ ବିମାନ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୧୦.୩୩ରେ ଉଡ଼ାଣ ଭରିଥିଲା । ପୋଖରା ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନଟି ପୁରୁଣା ବିମାନବନ୍ଦର ଏବଂ ନୂଆ ବିମାନବନ୍ଦର ମଧ୍ୟରେ ସେତି ନଦୀ କୂଳ ନିକଟରେ ଖସି ପଡ଼ିଥିଲା ।

ଅଧିକାରୀ କହିଛନ୍ତି ଯେ ସୋମବାର ଉଦ୍ଧାରକାରୀ ଦଳ ସର୍ଚ୍ଚ ଅପରେସନ ପୁଣି ଆରମ୍ଭ କରିଛନ୍ତି। ଆଜି ଉଭୟ ‘କକପିଟ୍ ଭଏସ୍ ରେକର୍ଡର୍’ ଏବଂ ବିମାନ ‘ଡାଟା ରେକର୍ଡର୍’ ମିଳିଛି।

ମୃତଦେହ ଗୁଡିକର ପୋଷ୍ଟ ମର୍ଟମ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ସେ କହିଛନ୍ତି। କାଠମାଣ୍ଡୁର ତ୍ରିଭୁବନ ୟୁନିଭରସିଟି ଟିଚିଂ ହସ୍ପିଟାଲରୁ ଏକ ଡାକ୍ତରୀ ଦଳ ପୋଖରାକୁ ବିମାନ ଯୋଗେ ପଠାଯାଉଛି। ସେମାନେ ପୋଖରାରେ ପହଞ୍ଚିବା ପରେ ସେଠାରେ ଏକ ହସ୍ପିଟାଲରେ ପୋଷ୍ଟ ମର୍ଟମ କରାଯିବ।

Comments are closed.