ସଂସଦରେ ପୁଣି ଆଦାନୀ ତାତି, ଉଭୟ ଗୃହ ୨ଟା ଯାଏଁ ମୁଲତବୀ

ନୂଆଦିଲ୍ଲୀ: ଆଦାନୀ ପ୍ରସଙ୍ଗରେ ପୁଣି ସଂସଦରେ ବିରୋଧୀଙ୍କ ହଙ୍ଗାମା । ଏହି ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ ରଖାଯାଇଛି ।

ଏହା ପୂର୍ବରୁ ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିରୋଧୀ ଦଳ ନେତାମାନେ ଏକାଠି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯୁଗ୍ମ ସଂସଦୀୟ କମିଟି (ଜେପିସି) କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ସରକାର ଏହି ମାମଲାର ଯାଞ୍ଚ୍ କରିବାକୁ ସେମାନେ ଦାବି ଦୋହରାଇଛନ୍ତି । ଅନ୍ୟପକ୍ଷରେ ଏହି ମାମଲାରେ ଆଜିଠାରୁ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ କରିଛି ।

ଏହାପୂର୍ବରୁ ଅନେକ ବିରୋଧୀ ଦଳର ନେତା ସଂସଦ ଗୃହ ଚାମ୍ବରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ଭବିଷ୍ୟତ ରଣନୀତି ସ୍ଥିର କରିଥିଲେ।

କଂଗ୍ରେସ ଦଳ ଦ୍ୱାରା ଜାରି ଏକ ଭିଡିଓରେ କଂଗ୍ରେସ, ଡିଏମକେ, ଏନସିପି, ବିଆରଏସ, ଜେଡିୟୁ, ଆରଜେଡି, ସମାଜବାଦୀ ପାର୍ଟି, ସିପିଆଇ, ଜେଏମଏମ, ଆରଏଲଡି, ଆରଏସପି, ଏଏପି, ଶିବସେନା ସମେତ ବିଭିନ୍ନ ଦଳର ନେତାମାନେ ଏକ ବୈଠକ କରୁଥିବା ଦେଖିବାକୁ ମିଳିଥିଲା।

କଂଗ୍ରେସ ନିଜ ଟ୍ୱିଟରେ କହିଛି ଯେ ଆଦାନୀ ଘୋଟାଲା ନେଇ ସଂସଦ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବାକୁ ବିରୋଧ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟ ଏକ ଟ୍ବିଟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କହିଛି ଯେ ଆଦାନୀ ଗ୍ରୁପ୍‌ ବିରୋଧରେ ଅଭିଯୋଗ ହେବାର ୧୩ ଦିନ ବିତିଗଲାଣି, କିନ୍ତୁ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ଏହି ମାମଲାରେ ପଦଟିଏ କହି ନାହାଁନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରବତାକୁ ଟାର୍ଗେଟ କରି ଅନ୍ୟ ଏକ ଟ୍ୱିଟ୍‌ରେ କଂଗ୍ରେସ ଏହି ମାମଲାରେ ସରକାର ଭାଗିଦାର ବୋଲି ଅଭିଯୋଗ କରିଛି।

କଂଗ୍ରେସ ପ୍ରତିଦିନ ସରକାରଙ୍କୁ ଏହି ମାମଲା ସହ ଜଡ଼ିତ ତିନୋଟି ପ୍ରଶ୍ନ ପଚାରିବାକୁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି ଆମେ ଆଶା କରୁଛୁ ବୋଲି ଦଳ‌ କହିଛି ।

Comments are closed.