ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବ୍ରାଭୋ, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ୍

ଆବୁଧାବି: ଟି-୨୦ ବିଶ୍ୱକପରେ ଗୁରୁବାର ଶ୍ରୀଲଙ୍କା ଠାରୁ ପରାଜୟ ପରେ ୱେଷ୍ଟଇଣ୍ଡିଜର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ଡୱେନ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ।

ଟି-୨୦ ବିଶ୍ୱକପରେ ପାଞ୍ଚଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ଶ୍ରୀଲଙ୍କା ତାର ଅଭିଯାନ ଶେଷ କରିଥିବା ବେଳେ ତୃତୀୟ ପରାଜୟ ସହ ୱେଷ୍ଟଇଣ୍ଡିଜର ସେମିଫାଇନାଲ ଆଶା ଧୂଳିସାତ ହୋଇଛି । ଗ୍ରୁପ୍ ୱାନର ଶେଷ-୪ରେ ସ୍ଥାନ ପାଇବା ପାଇଁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ଦୌଡ଼ରେ ଥିବାବେଳେ ଇଂଲଣ୍ଡ ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଛି।

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପରେ ବ୍ରାଭୋ କହିଛନ୍ତି, ମୁଁ ଭାବୁଛି ଅବସର ଗ୍ରହଣ କରିବାର ସମୟ ଆସିଛି। ମୋର କ୍ୟାରିୟର ବହୁତ ଭଲରେ କଟିଛି | ମୁଁ ୧୮ ବର୍ଷ ଧରି ୱେଷ୍ଟଇଣ୍ଡିଜର ପ୍ରତିନିଧିତ୍ୱ ସମୟରେ ଅନେକ ଉତ୍ଥାନ-ପତନ ଦେଖିଛି | ମୋ ଦଳକୁ ପ୍ରତିନିଧିତ୍ୱ କରି ମୁଁ ଅତ୍ୟଧିକ କୃତଜ୍ଞ ଏବଂ କାରିବିଆନ୍ ଲୋକମାନେ ମୋ ଉପରେ ଏତେ ଦିନ ଧରି ଯେଉଁ ସ୍ନେହ ଦେଖାଇଛନ୍ତି ତାହା କେବଳ ଚମତ୍କାର ଅଟେ। ବ୍ରାଭୋ ନିଜ ସଫଳ ଅନ୍ତର୍ଜାତୀୟ କ୍ୟାରିୟରରେ ଦୁଇ ଥର ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛନ୍ତି | ସେ ଏପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ପାଇଁ ମୋଟ ୯୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି ଏବଂ ୧୪୨୫ ରନ୍ ସ୍କୋର କରିଛନ୍ତି। ଏହା ବ୍ୟତୀତ ସେ ୭୮ ୱିକେଟ୍ ମଧ୍ୟ ନେଇଛନ୍ତି।

୩୮ ବର୍ଷୀୟ ବ୍ରାଭୋ ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହାପୂର୍ବରୁ ୨୦୧୮ରେ ମଧ୍ୟ ସେ ଅବସର ଘୋଷଣା କରିଥିଲେ, କିନ୍ତୁ ୨୦୧୯ ରେ ସେ ପୁଣି ଥରେ ଅବସ଼ର ନିଷ୍ପତ୍ତି ବଦଳାଇ କ୍ରିକେଟ୍ ପଡିଆକୁ ଫେରିଥିଲେ । ୱେଷ୍ଟଇଣ୍ଡିଜ୍ ପାଇଁ ତିନୋଟି ଯାକ ଫର୍ମାଟରେ ୨୯୪ ମ୍ୟାଚ୍ ଖେଳିଥିବା ବେଳେ ୬୪୧୩ ରନ୍ କରିବା ସହ ୩୬୩ ୱିକେଟ୍ ନେଇଛନ୍ତି।

ୱେଷ୍ଟଇଣ୍ଡିଜ୍ ଚଳିତ ଟି-୨୦ ବିଶ୍ୱକପ୍ ର ସୁପର-୧୨ ପର୍ଯ୍ୟାୟରେ ଚାରିଟି ମ୍ୟାଚ୍ ମଧ୍ୟରୁ ତିନୋଟି ହାରିଛି ଏବଂ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି | ତେବେ ଅଧିନାୟକ କାଇରନ୍ ପୋଲାର୍ଡ କହିଛନ୍ତି ଯେ ଶ୍ରୀଲଙ୍କାକୁ ହରାଇବା ପରେ ଅବସର ନେବାକୁ ତାଙ୍କର କୌଣସି ଯୋଜନା ନାହିଁ। ୱେଷ୍ଟଇଣ୍ଡିଜ୍ ଦଳ ଶନିବାର ଦିନ ଆବୁଧାବିରେ ଅଷ୍ଟ୍ରେଲିଆ ବିପକ୍ଷ ଏହି ବିଶ୍ୱକପ୍‌ର ଶେଷ ମ୍ୟାଚ୍ ଖେଳିବ।

Comments are closed.