ଭାରତରେ ସାମ୍ବାଦିକଙ୍କ ଜୀବନ ଅସୁରକ୍ଷିତ, ଦୁଇ ବର୍ଷ ମଧ୍ୟରେ ୨୨୮ ସାମ୍ବାଦିକଙ୍କ ଉପରେ ୨୫୬ ଆକ୍ରମଣ

ନୂଆଦିଲ୍ଲୀ: ଭାରତରେ ସାମ୍ବାଦିକଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ିଛି । ମେ ୨୦୧୯ ରୁ ଚଳିତ ବର୍ଷ ଅଗଷ୍ଟ ମଧ୍ୟରେ ଭାରତରେ ୨୨୮ ସାମ୍ବାଦିକଙ୍କ ଉପରେ ୨୫୬ଟି ଆକ୍ରମଣ ତଥା ହିଂସା ମାମଲା ରିପୋର୍ଟ ହୋଇଛି । ନ୍ୟୁୟର୍କ ଭିତ୍ତିକ ସଂଗଠନ ‘ପୋଲିସ୍ ପ୍ରୋଜେକ୍ଟ’ର ଦ୍ଵାରା ହୋଇଥିବା ଏକ ଅନୁଧ୍ୟାନରେ ଏହା କୁହାଯାଇଛି।

ଭାରତରେ ସାମ୍ବାଦିକମାନେ ମିଥ୍ୟା ମାମଲା ଠାରୁ ଆରମ୍ଭ କରି ଗିରଫ ଏବଂ ହତ୍ୟା ପର୍ଯ୍ୟନ୍ତ ଅନେକ ପ୍ରକାରର ହିଂସାର ସମ୍ମୁଖୀନ ହୋଇଛନ୍ତି । ଯାହାଫଳରେ ଭାରତରେ ସାମ୍ବାଦିକତା ବୃତ୍ତି ବିପଜ୍ଜନକ ହୋଇପଡିଛି। ନ୍ୟୁୟର୍କ ଭିତ୍ତିକ ‘ପୋଲିସ୍ ପ୍ରୋଜେକ୍ଟ’ ପକ୍ଷରୁ କରାଯାଇଥିବା ଏକ ବିସ୍ତୃତ ଅଧ୍ୟୟନ ପରେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି | ଏହି ଅଧ୍ୟୟନରେ, ମେ ୨୦୧୯ ରୁ ଚଳିତ ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ଘଟିଥିବା ଘଟଣାକୁ ସାମିଲ କରାଯାଇଛି | ‘ପୋଲିସ୍ ପ୍ରୋଜେକ୍ଟ’ ଏହି ଅଧ୍ୟୟନରେ ବିଭିନ୍ନ ବିଷୟର କଭରେଜ୍ ସମୟରେ ଘଟିଥିବା ଘଟଣାମାନ ଉପରେ ତଥ୍ୟ ସଂଗ୍ରହ କରିଛି | ଏହା ଅନୁଯାୟୀ, ଜାମ୍ମୁ କାଶ୍ମୀରରେ ୫୧ଟି, ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବିକ୍ଷୋଭ ସମୟରେ ୨୬ଟି, ଦିଲ୍ଲୀ ଦଙ୍ଗା ସମୟରେ ୧୯ଟି ଏବଂ କୋଭିଡ୍ ମାମଲାର କଭରେଜ ସମୟରେ ସାମ୍ବାଦିକଙ୍କ ବିରୋଧରେ ୪୬ଟି ଆକ୍ରମଣ ଘଟିଛି।
କୃଷକଙ୍କ ଆନ୍ଦୋଳନ ସମୟରେ ସାମ୍ବାଦିକଙ୍କ ବିରୋଧରେ ୧୦ ଟି ହିଂସା ମାମଲା ରିପୋର୍ଟ ହୋଇଛି। ଅବଶିଷ୍ଟ ୧୦୪ ମାମଲା ବିଭିନ୍ନ ସମୟରେ ରେକର୍ଡ କରାଯାଇଛି | ହିଂସାର ସମ୍ମୁଖୀନ ହୋଇଥିବା ୨୨୮ ସାମ୍ବାଦିକଙ୍କ ମଧ୍ୟରୁ ଅନେକ ଏବେ ଜେଲରେ ଅଛନ୍ତି। ଗତ ବର୍ଷ ଅକ୍ଟୋବରରେ ଉତ୍ତର ପ୍ରଦେଶର ହତରସରେ ଘଟିଥିବା ବଳାତ୍କାର ଓ ହତ୍ୟା ମାମଲାରେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କେରଳର ସାମ୍ବାଦିକ ସିଦ୍ଦିକ କପାନଙ୍କୁ ଗିରଫ କରାଯାଇଥିଲା। ସେହି ଦିନଠାରୁ କପାନଙ୍କ ବିରୋଧରେ ଦେଶଦ୍ରୋହ ଓ ବେଆଇନ କାର୍ଯ୍ୟକଳାପ ନିରୋଧି ଆଇନ (ୟୁଏପିଏ) ଭଳି ସଙ୍ଗୀନ୍ ଦଫା ଲଗାଯାଇ ତାଙ୍କୁ ଜେଲରେ ରଖାଯାଇଛି | ନିକଟରେ ଯେତେବେଳେ ତାଙ୍କର ୯୦ ବର୍ଷ ବୟସ୍କା ମାଙ୍କର ମୃତ୍ୟୁ ହୋଇଥିଲା, ତାଙ୍କର ଶେଷ ଦର୍ଶନ ମଧ୍ୟ କରିପାରିନଥିଲେ କପାନ । ପୋଲିସ୍ ପ୍ରୋଜେକ୍ଟ ରିପୋର୍ଟରେ କୁହାଯାଇଛି ଯେ ଏହି ସମୟ ମୋଟ ୨୨୮ ସାମ୍ବାଦିକ ହିଂସାର ସମ୍ମୁଖୀନ ହୋଇଛନ୍ତି।

Comments are closed.