ବାପା ହେଲେ ବୁମରା, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ସଞ୍ଜନା

ମୁମ୍ବାଇ : ଟିମ୍ ଇଣ୍ଡିଆ ଦ୍ରୁତ ବୋଲର ଜସପ୍ରୀତ ବୁମରା ବାପା ହୋଇଛନ୍ତି। ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ସୋମବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁମରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ବୁମରା ଓ ସଞ୍ଜନା ନିଜ ନବଜାତ ଶିଶୁର ନାମ ‘ଅଙ୍ଗଦ’ ରଖିଛନ୍ତି ।

ବୁମରା ଓ ସଞ୍ଜନା ମାର୍ଚ୍ଚ ୨୦୨୧ରେ ବିବାହ କରିଥିଲେ। ଉଭୟଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିଲା । ସଞ୍ଜନା ଜଣେ ଜଣାଶୁଣା ଟେଲିଭିଜନ ଆଙ୍କର।

ବୁମରା ରବିବାର ‘ବ୍ୟକ୍ତିଗତ କାରଣ’ ଦର୍ଶାଇ ଶ୍ରୀଲଙ୍କାରୁ ମୁମ୍ବାଇ ଫେରିଆସିଥିଲେ । ବୋଧେ ନିଜ ପ୍ରଥମ ସନ୍ତାନର ଜନ୍ମ ହିଁ ତାଙ୍କ ଭାରତ ଫେରିବାର କାରଣ ଥିଲା ‌ । ସେ ସୋମବାର ନେପାଳ ବିପକ୍ଷ ମ୍ୟାଚ୍ ଖେଳିବେନି । ତେବେ ଟୁର୍ଣ୍ଣାମେଣ୍ଟର ସୁପର-୪ ରାଉଣ୍ଡ ପୂର୍ବରୁ ବୁମରା ଭାରତୀୟ ଦଳ ସହ ଯୋଗଦେବେ। ବୁମରା ପିଠି ଆଘାତରୁ ମୁକୁଳି ପ୍ରାୟ ବର୍ଷକ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି | ବୁମରା ଗତମାସରେ ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଉକ୍ତ ସିରିଜରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ତାଙ୍କ ନେତୃତ୍ୱରେ ଦଳ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଥିଲା।

Comments are closed.