ଦେଶର ସବୁଠୁ ବଡ଼ ବ୍ୟାଙ୍କିଙ୍ଗ୍ ସ୍କାମର ପର୍ଦ୍ଦାଫାସ୍, ୨୨,୮୪୨ କୋଟି ଠକେଇ ଅଭିଯୋଗରେ ଏବିଜି ସିପିୟାର୍ଡ ଲିମିଟେଡ୍ ଓ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ପିଏନବି ସ୍କାମ୍ ଠାରୁ ଆହୁରି ବଡ଼ ଏକ ବ୍ୟାଙ୍କିଙ୍ଗ୍ ଦୁର୍ନୀତିର ପର୍ଦ୍ଦାଫାସ୍ ହୋଇଛି । ସିବିଆଇ ୨୨,୮୪୨ କୋଟି ଠକେଇ ଅଭିଯୋଗରେ ଏବିଜି ସିପିୟାର୍ଡ ଲିମିଟେଡ୍ ଏବଂ ଏହାର ତତ୍କାଳୀନ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଋଷି କମଲେଶ ଅଗ୍ରୱାଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ସ୍କାମ୍ ନିରବ ମୋଦି ଜଡ଼ିତ ପିଏନବି ସ୍କାମ୍ ତୁଳନାରେ ପ୍ରାୟ ଦୁଇଗୁଣ ବଡ଼ |

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଅଧୀନରେ ଥିବା ବ୍ୟାଙ୍କ୍ ସମୂହ ଠାରୁ ୨୨,୮୪୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏହା ହେଉଛି ସବୁଠାରୁ ବଡ ବ୍ୟାଙ୍କ୍ ଠକେଇ ମାମଲା | ଅଗ୍ରୱାଲ ବ୍ୟତୀତ ସିବିଆଇ ତତ୍କାଳୀନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଥନମ୍ ମୁଥାସ୍ୱାମୀ, ନିର୍ଦ୍ଦେଶକ – ଅଶ୍ୱିନୀ କୁମାର, ସୁଶୀଲ କୁମାର ଅଗ୍ରୱାଲ ଏବଂ ରବି ବିମଲ ନେଭେଟିଆ ଏବଂ ଅନ୍ୟ ଏକ କମ୍ପାନୀ ଏବିଜି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି।

ସିବିଆଇ ସୂଚନା ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱାଧୀନ ୨୮ଟି ବ୍ୟାଙ୍କ ସମୂହ ସହ ଏହି ଠକେଇ ହୋଇଛି। ଏଥିରେ ଆଇସିଆଇସିଆଇ, ଆଇଡିବିଆଇ, ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭଳି ବଡ ବ୍ୟାଙ୍କ ଅନ୍ତର୍ଭୁକ୍ତ। ଏହି ଘୋଟାଲାରେ ଶନିବାର ଦିନ ସିବିଆଇ ମହାରାଷ୍ଟ୍ର, ଗୁଜରାଟ ସମେତ ଅନେକ ରାଜ୍ୟରେ ୧୩ଟି ସ୍ଥାନ ଉପରେ ଚଢ଼ାଉ କରି ଏହି ଷ୍ଟାମ୍ପ ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଉଦ୍ଧାର କରାଯାଇଥିଲା।

ସିବିଆଇ ସୂଚନା ଅନୁଯାୟୀ, ବ୍ୟାଙ୍କଗୁଡିକର ଏହି ଗୋଷ୍ଠୀ ତରଫରୁ ଏସବିଆଇର ମୁମ୍ବାଇ ଶାଖାର ଡେପୁଟି ଜେନେରାଲ୍ ମ୍ୟାନେଜର ବାଲାଜୀ ସିଂ ସାମନ୍ତ ୨୫ ଅଗଷ୍ଟ ୨୦୨୦ରେ ଏହି ଠକେଇ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ସିବିଆଇ ଏକ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯାହା ପରେ ଏହି ଘୋଟାଲାର ଖୁଲାସା ହୋଇଥିଲା। ଏହି ବ୍ୟାଙ୍କିଙ୍ଗ୍ ସ୍କାମର ଅବଧି ଏପ୍ରିଲ ୨୦୧୨ ରୁ ଜୁଲାଇ ୨୦୧୭ ମଧ୍ୟରେ ହୋଇଥିବା କୁହାଯାଇଛି | ମାମଲାର ଯାଞ୍ଚ୍ ଆଗାମୀ ଦିନରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ନିକଟରେ ପହଞ୍ଚିପାରେ। ଏହି ଘୋଟାଲାରେ ରାଜନୈତିକ ଲିଙ୍କ୍ ମଧ୍ୟ ଥିବା ସନ୍ଦେହ କରାଯାଉଥିବାବେଳେ ଏବଂ କିଛି ନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିପାରେ |

ଏବିଜି ସିପିୟାର୍ଡ କମ୍ପାନୀ ସୁରଟରେ ଅବସ୍ଥିତ, ଯାହା ପାଣି ଜାହାଜ ନିର୍ମାଣ କରି ବିକ୍ରି ଓ ମରାମତି କରିଥାଏ | ଏହି କମ୍ପାନୀ ବିଦେଶରେ ଅନେକ ଜାହାଜ ବିକ୍ରି କରିଛି । ଏହି କମ୍ପାନୀ ଅନେକ ପ୍ରକାରର ଫ୍ଲୋଟିଂ କ୍ରେନ୍ ଇଣ୍ଟରସେପ୍ଟର ବୋଟ୍ ଆଦି ମଧ୍ୟ ତିଆରି କରିଛି |

Comments are closed.