ସାଇବର ଅପରାଧ ବିରୋଧରେ ସିବିଆଇର ବଡ଼ ଆକ୍ସନ, ଦେଶବ୍ୟାପୀ ୧୧୫ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ସାଇବର ଠକେଇ ବିରୋଧରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏହି କେନ୍ଦ୍ରୀୟ ସଂସ୍ଥା ଦେଶର ୧୦୦ ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି ।ଇଣ୍ଟରପୋଲ, ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ପରି ଅନ୍ତର୍ଜାତୀୟ ଏଜେନ୍ସିର ଇନପୁଟ ଆଧାରରେ ସିବିଆଇ ସାଇବର ଅପରାଧ ବିରୋଧରେ ଏହି ଆକ୍ସନ ନେଇଛି।

ସାଇବର ଅପରାଧୀଙ୍କ ବିରୋଧୀ ଅଭିଯାନରେ ସିବିଆଇ ମଙ୍ଗଳବାର ବିଭିନ୍ନ ରାଜ୍ୟର ୧୧୫ଟି ସ୍ଥାନରେ ଚଢାଉ କରିଥିଲା । ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ୍ ସହଯୋଗରେ ‘ଅପରେସନ୍ ଚକ୍ର’ ଅଧୀନରେ ଏହି ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ସିବିଆଇ ୮୭ ଟି ସ୍ଥାନରେ ଚଢ଼ାଉ କରିଥିବା ବେଳେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପୋଲିସ ପକ୍ଷରୁ ୨୮ଟି ସ୍ଥାନରେ ରେଡ୍ ହୋଇଥିଲା ।

ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ପାଞ୍ଚଟି ସ୍ଥାନରେ ଚଢ଼ାଉ କରାଯାଇଛି । ଅନ୍ୟପକ୍ଷରେ ଅନୁସନ୍ଧାନକାରୀ ସଂସ୍ଥା ରାଜସ୍ଥାନର ରାମସମନ୍ଦରେ ଏକ ସ୍ଥାନରୁ ୧.୫ କୋଟି ଟଙ୍କା ଏବଂ ଦେଢ଼ କିଲୋଗ୍ରାମ କିଲୋଗ୍ରାମ ସୁନା ଜବତ କରିଛି। ରାମସମନ୍ଦରେ ଏକ ନକଲି କଲ୍ ସେଣ୍ଟର ମଧ୍ୟ ଠାବ କରାଯାଇଛି। ସେହିପରି ପୁଣେ ଏବଂ ଅହମ୍ମଦାବାଦରେ ଦୁଇଟି ନକଲି କଲ୍ ସେଣ୍ଟର ଆମେରିକାର ନାଗରିକଙ୍କୁ ଟାର୍ଗେଟ କରିଥିଲା ବୋଲି ଜଣାପଡିଛି । ଏହି ମାମଲାରେ ୩୦୦ ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।

ଏହି ଅପରେସନ୍ ଅନ୍ତର୍ଗତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ଚାରିଟି ସ୍ଥାନ, ଦିଲ୍ଲୀର ପାଞ୍ଚ, ଚଣ୍ଡିଗଡ଼ରେ ତିନୋଟି ଏବଂ ପଞ୍ଜାବ, କର୍ଣ୍ଣାଟକ ଓ ଆସାମରେ ଦୁଇଟି ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଡ୍ ଜାରି ରହିଥିଲା । ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସିବିଆଇ ଆମେରିକାର ତଦନ୍ତ ଏଜେନ୍ସି ଏଫବିଆଇକୁ ଅବଗତ କରିଛି। ଇଣ୍ଟରପୋଲ, ଏଫବିଆଇ, ରୟାଲ କାନାଡିୟ ମାଉଣ୍ଟେନ୍ ପୋଲିସ ଏବଂ ଅଷ୍ଟ୍ରେଲୀୟ ଫେଡେରାଲ ପୋଲିସର ସୂଚନା ପରେ ସିବିଆଇ ତରଫରୁ ଏହି ଆକ୍ସନ ନିଆଯାଇଛି।

Comments are closed.