ଶିବସେନାର ୧୫ ବିଦ୍ରୋହୀ ବିଧାୟକଙ୍କୁ ‘ଓ୍ବାଇ ପ୍ଲସ୍’ ସୁରକ୍ଷା ଦେଲା କେନ୍ଦ୍ର, ବିରୋଧୀ ଉଠାଇଲେ ପ୍ରଶ୍ନ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତକ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଦେବେ । ଦଳର ୧୫ ଜଣ ବିଧାୟକଙ୍କୁ ମିଳିବ ଓ୍ବାଇ ପ୍ଲସ୍ ସୁରକ୍ଷା। ବିଦ୍ରୋହୀ ବିଧାୟକଙ୍କ ଘର ଓ ଅଫିସରେ ଶିବ ସୈନିକଙ୍କ ଆକ୍ରମଣ ଦୃଷ୍ଟିରୁ ସେମାନଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ତରଫରୁ କୁହାଯାଇଛି । ଏବେ ଶିବସେନା ବିଦ୍ରୋହୀ ବିଧାୟକଙ୍କ ଓ ସେମାନଙ୍କ ପରିବାରକୁ ୨୪ ଘଣ୍ଟା ଜଗିବେ ସିଆରପିଏଫ ଯବାନ । ତେବେ ଶିବସେନା ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସୁରକ୍ଷା ଯୋଗାଇବା ନେଇ ପ୍ରଶ୍ନ ଉଠିଛି । ଏହି ନିଷ୍ପତ୍ତିରୁ ବିଦ୍ରୋହୀ ବିଧାୟକଙ୍କ ବିଜେପି ଲିଙ୍କ୍ ସ୍ପଷ୍ଟ ହୋଇଛି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି ।

ସିନ୍ଦେ କ୍ୟାମ୍ପର ଆବେଦନ ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜୁନ୍ ୨୫ ତଥା ଶନିବାର ଦିନ ଏକନାଥ ସିନ୍ଦେ ଗୋଷ୍ଠୀ କେନ୍ଦ୍ର ଗୃହ ସଚିବ ଏବଂ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ବିଧାୟକଙ୍କ ଘରେ ସିଆରପିଏଫ୍ କର୍ମଚାରୀ ମୁତୟନ ହେବେ।

କେନ୍ଦ୍ର ସରକାରଙ୍କ ପୂର୍ବରୁ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଠାରୁ ତାଙ୍କ ପରିବାର ପାଇଁ ସୁରକ୍ଷା ମାଗିଥିଲେ। ତେବେ ଏହାର ଜବାବରେ ରାଜ୍ୟ ସରକାର କହିଥିଲେ ଯେ ବିଧାୟକଙ୍କ ସୁରକ୍ଷା କୌଣସି ଭାବେ ହ୍ରାସ କରାଯାଇ ନାହିଁ। ଏହା ସହିତ ଯାହାର ଘରେ ଭଙ୍ଗାରୁଜା କରାଯାଇଥିଲା, ସେହି ବିଧାୟକମାନଙ୍କ ଘରେ ପୋଲିସ ଫୋର୍ସ ମୁତୟନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ସରକାର କହିଥିଲେ ।

Comments are closed.