ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଚେତିଲା କେନ୍ଦ୍ର, କରୋନା ମୃତ୍ୟୁ ପ୍ରମାଣପତ୍ର ନେଇ ନୂଆ ଗାଇଡ ଲଇନ୍ ଜାରି

ନୂଆଦିଲ୍ଲୀ: କରୋନା କାରଣରୁ ମୃତ୍ୟୁ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ କେନ୍ଦ୍ର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି ଯେ ଯଦି କୌଣସି ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରନ୍ତି, ତେବେ ମୃତ୍ୟୁ ପ୍ରମାଣପତ୍ରରେ ‘କରୋନାରୁ ମୃତ୍ୟୁ’ ବୋଲି ଉଲ୍ଲେଖ କରିବାକୁ ପଡ଼ିବ । ଏହାଛଡ଼ା ଯେଉଁମାନେ କରୋନା କାରଣରୁ ପୂର୍ବରୁ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ମଧ୍ୟ ଏହି ନୂଆ ମୃତ୍ୟୁ ପ୍ରମାଣପତ୍ର ପାଇଁ ଦାବି କରିପାରିବେ | ସେମାନଙ୍କର ଦାବି ବିଚାର କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଏକ କମିଟି ଗଠନ କରାଯିବ। ଏହି କମିଟି ଆବେଦନ ଗ୍ରହଣ କରିବାର ୩୦ ଦିନ ମଧ୍ୟରେ ଏହା ଉପରେ ନିଷ୍ପତ୍ତି ନେବ |

ରିପାକ କଂସାଲ୍ ଏବଂ ଗୌରବ ବଂସାଲ ନାମକ ଦୁଇଜଣ ଆବେଦନକାରୀଙ୍କ ପୃଥକ ପୃଥକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) କୁ କରୋନା କାରଣରୁ ମୃତ୍ୟୁର ସର୍ବନିମ୍ନ କ୍ଷତିପୂରଣ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜୁନ୍ ୩୦ରେ ଦିଆଯାଇଥିବା ଆଦେଶରେ ମୃତ୍ୟୁ ପ୍ରମାଣପତ୍ରରେ କରୋନା ବୋଲି ସ୍ପଷ୍ଟ ଉଲ୍ଲେଖ କରିବାକୁ ସରକାରଙ୍କୁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏ ଦିଗରେ ପଦକ୍ଷେପ ଗ୍ରହଣ କରିନଥିବାରୁ ନିକଟରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ବର୍ତ୍ତମାନ ମୃତ୍ୟୁ ପ୍ରମାଣପତ୍ର ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଦର୍ଶାଇ କେନ୍ଦ୍ର ଏକ ସତ୍ୟପାଠ ଦାଖଲ କରିଛି।

ଏଥିରେ କୁହାଯାଇଛି ଯେ ଯଦି ରୋଗୀର ଆରଟି- ପିସିଆର୍ କିମ୍ବା ମଲିକୁଲାର ଟେଷ୍ଟ, ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଅବା କୌଣସି ହସ୍ପିଟାଲରେ ହୋଇଥିବା ପରୀକ୍ଷାରେ କରୋନା ଅଛି ବୋଲି ସ୍ପଷ୍ଟ ହୁଏ, ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ମୃତ୍ୟୁ ପ୍ରମାଣପତ୍ରରେ ‘କରୋନାରୁ ମୃତ୍ୟୁ’ ଲେଖିବାକୁ ପଡ଼ିବ। ଏହି ମୃତ୍ୟୁ ପ୍ରମାଣପତ୍ର ଉଭୟ ଘରେ କିମ୍ବା ହସ୍ପିଟାଲରେ ପ୍ରଦାନ କରାଯିବ। ତେବେ କରୋନା ପଜିଟିଭ୍ ବ୍ୟକ୍ତି ଆତ୍ମହତ୍ୟା କଲେ କିମ୍ବା ହତ୍ୟା କିମ୍ବା ଆକସ୍ମିକ ମୃତ୍ୟୁର ଶିକାର ହେଲେ ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ‘କରୋନା’ ବୋଲି ଲେଖାଯିବ ନାହିଁ।

ପ୍ରତ୍ୟେକ ଜିଲ୍ଲାରେ ବରିଷ୍ଠ ପ୍ରଶାସନିକ ଏବଂ ଡାକ୍ତରୀ ଅଧିକାରୀଙ୍କ ଏକ କମିଟି ଗଠନ କରାଯିବ। କେବଳ ସେମାନଙ୍କ ଅନୁମୋଦନ କ୍ରମେ କରୋନା ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯିବ | ସେମାନଙ୍କ ପରିବାରରେ କୌଣସି ମୃତ୍ୟୁ ପାଇଁ ଦିଆଯାଇଥିବା ମୃତ୍ୟୁ ପ୍ରମାଣପତ୍ର ଉପରେ ଆପତ୍ତି ଥିବା ବ୍ୟକ୍ତିମାନେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିପାରିବେ, ଯାହା ପରେ ଏହି ଆବେଦନ କମିଟି ନିକଟକୁ ପଠାଯିବ। କମିଟି ତଥ୍ୟ ଯାଞ୍ଚ କରିବ ଏବଂ ୩୦ ଦିନ ମଧ୍ୟରେ ଆବେଦନର ଫଇସଲା କରିବ।

Comments are closed.