କଲେଜିୟମ ସୁପାରିଶ ମାନିଲେନି ସରକାର, ଜଜଙ୍କ ନିଯୁକ୍ତି ସମ୍ବନ୍ଧୀୟ ୨୦ଟି ଫାଇଲ୍ ଫେରାଇଲେ

ନୂଆଦିଲ୍ଲୀ: କଲେଜିୟମ ସିଷ୍ଟମ ନେଇ ସୁପ୍ରିମକୋର୍ଟଙ୍କ ସହ ମୁହାଁମୁହିଁ ସ୍ଥିତି ମଧ୍ୟରେ ହାଇକୋର୍ଟ ଜଜଙ୍କ ନିଯୁକ୍ତି ସହ ଜଡିତ ୨୦ଟି ଫାଇଲକୁ କେନ୍ଦ୍ର ଫେରାଇ ଦେଇଛି । ଜଜ୍ ପାଇଁ ସୁପାରିଶ ନାମଗୁଡିକ ଉପରେ ପୁନଃ ବିଚାର କରିବା ପାଇଁ ସରକାର ସୁପ୍ରିମକୋର୍ଟ କଲେଜିୟମକୁ କହିଛନ୍ତି। ଏହି ତାଲିକାରେ ସୌରଭ କୃପାଲଙ୍କ ମଧ୍ୟ ନାଁ ଥିଲା, ଯିଏକି ନିଜକୁ ସମଲିଙ୍ଗୀ ବୋଲି ଖୋଲାଖୋଲି କହିଥିଲେ।

ସୂତ୍ରରୁ ପ୍ରକାଶ ଯେ ସରକାର ନଭେମ୍ବର ୨୫ରେ ଫାଇଲଗୁଡ଼ିକୁ କଲେଜିୟମକୁ ଫେରାଇବା ବେଳେ ସୁପାରିଶ କରାଯାଇଥିବା ନାମଗୁଡିକ ଉପରେ ଦୃଢ଼ ଆପତ୍ତି ଜଣାଇଥିଲେ । ସୁପ୍ରିମକୋର୍ଟ କଲେଜିୟମ୍ ଦ୍ବାରା ସୁପାରିଶ ୨୦ଟି ନାମ ମଧ୍ୟରୁ ୧୧ ଜଣ ନୂଆ ହୋଇଥିବା ବେଳେ ଅନ୍ୟ ୯ ଜଣଙ୍କ ନାମ କଲେଜିୟମ ଦୋହରାଇଥିଲା ।

ବିଚାରପତି ନିଯୁକ୍ତିର କଲେଜିୟମ ସିଷ୍ଟମ ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ବୟାନ ଉପରେ ସୋମବାର ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ନିକଟରେ ଆଇନ ମନ୍ତ୍ରୀ କିରେନ ରିଜିଜୁ କଲେଜିୟମ ସିଷ୍ଟମ ଉପରେ ପ୍ରଶ୍ନ ଉଠାଇଥିଲେ। ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ । କଲେଜିୟମ୍ ସିଷ୍ଟମ ଦେଶର ଆଇନ । ସରକାର ଏହାକୁ ମାନିବାକୁ ପଡ଼ିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ। ଏହାଛଡ଼ା କଲେଜିୟମ ଦ୍ଵାରା ସୁପାରିଶ ଜଜଙ୍କ ନିଯୁକ୍ତିରେ ବିଳମ୍ବ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଥିଲେ ।

Comments are closed.