ଲୋକଙ୍କୁ ଦିଆଯାଉଥିବା ଟିକା ନକଲି ନୁହେଁ ତ? ଟିକା ଦେବା ପୂର୍ବରୁ ଯାଞ୍ଚ୍ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଲୋକଙ୍କୁ କରୋନା ଟିକା ଦେବା ପୂର୍ବରୁ ଏହା ଅସଲି ନା ନକଲି ତାହା ଯାଞ୍ଚ କରିବାକୁ ରାଜ୍ୟମାନଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଲେଖିଥିବା ଚିଠିରେ ରାଜ୍ୟମାନଙ୍କୁ ସତର୍କ କରାଇ କହିଛି ଯେ ନିକଟରେ ଦକ୍ଷିଣ ପୂର୍ବ ଏସିଆ ଏବଂ ଆଫ୍ରିକାରେ ନକଲି କୋଭିଶିଲ୍ଡ ଟିକା ମିଳିଥିଲା । ଏହା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ନକଲି ଟିକା ବିଷୟରେ ଦେଶମାନଙ୍କୁ ସତର୍କ କରିଥିଲା।

ଅସଲି ଟିକା ଚିହ୍ନଟ କରିବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ଏକ ମାର୍ଗଦର୍ଶିକା ପଠାଇଛି, ଯାହା ଦ୍ଵାରା ଟିକା ଅସଲି ନା ନକଲି ତାହା ଚିହ୍ନଟ କରାଯାଇପାରିବ । ଏଥିରେ ଅସଲି ଓ ନକଲି ଟିକା ଭିତରେ ପାର୍ଥକ୍ୟକୁ ଚିହ୍ନିବା ପାଇଁ, ସମସ୍ତ ତିନୋଟି ଟିକା କୋଭିଶିଲ୍ଡ, କୋଭାକ୍ସିନ ଏବଂ ସ୍ପୁଟନିକ୍ ଭି’ର ଲେବଲ୍, ରଙ୍ଗ, ବ୍ରାଣ୍ଡ ନାମ ବିଷୟରେ ସୂଚନା ରାଜ୍ୟମାନଙ୍କୁ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ଜାତୀୟ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଦେଶରେ ୬୮.୪୬ କୋଟି ଟିକା ଡୋଜ୍ ଦିଆଯାଇଛି। କୋଭିଡ ଟିକାକରଣ ଉପରେ ୧୧ଟି ଉତ୍ତର-ପୂର୍ବ ଏବଂ ପାହାଡ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ମଧ୍ୟ କେନ୍ଦ୍ର ସରକାର ସାନି ନିର୍ଦ୍ଦେଶ ଜାରି କହିଛନ୍ତି ଯେ , ୬୦ ବର୍ଷରୁ ଅଧିକ ଲୋକଙ୍କୁ ଶୀଘ୍ର ଟିକାର ଦ୍ବିତୀୟ ଡୋଜ ଦିଆଯାଉ। ଅନେକ ରାଜ୍ୟରେ ଟିକାକରଣର ମନ୍ଥର ଗତିକୁ ନେଇ କେନ୍ଦ୍ର ଅସନ୍ତୋଷ ବ୍ୟକ୍ତ କରିଛି।

Comments are closed.