ଆଜିଠାରୁ ଆଇପିଏଲର ପ୍ଲେ ଅଫ୍ ପର୍ଯ୍ୟାୟ, ପ୍ରଥମ କ୍ୱାଲିଫାୟରରେ ଚେନ୍ନାଇ-ଦିଲ୍ଲୀ ମୁହାଁମୁହିଁ

ଦୁବାଇ: ଆଇପିଏଲ୍‌-୨୦୨୧ର ପ୍ଲେ ଅଫ୍ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହେଉଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ କ୍ୱାଲିଫାୟରରେ ତିନି ଥରର ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍‌ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହେବ । ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞ ଦଳକୁ ଚ୍ୟାଲେଞ୍ଜ୍ ଦେବାକୁ ଆ ଭିଡିଛି ରିଷଭ ପନ୍ତଙ୍କ ଯୁବ ବାହିନୀ । ଚଳିତ ସଂସ୍କରଣର ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ମୁକାବିଲା ବେଶ୍ ରୋଚକ ହେବ ବୋଲି ମନେ କରାଯାଉଛି । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ପରାଜିତ ଦଳକୁ ଦ୍ୱିତୀୟ କ୍ୱାଲିଫାୟର ଜରିଆରେ ଫାଇନାଲକୁ ଉନ୍ନୀତ ହେବା ପାଇଁ ଆଉ ଏକ ସୁଯୋଗ ମିିଳିବ ।

ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଟେବୁଲ ଟପର ଭାବେ ଲିଗ୍ ପର୍ଯ୍ୟାୟ ଶେଷ କରିଥିଲା । ଦଳ ୧୪ଟି ମ୍ୟାଚରୁ ୧୦ଟିରେ ବିଜୟ ହାସଲ କରିଥିଲା । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଦଳ କ୍ରମାଗତ ଭଲ ପ୍ରଦର୍ଶନ କରି ପ୍ଲେ ଅଫରେ ସ୍ଥାନ ନିଶ୍ଚିତ କରିଥିଲା ପନ୍ତଙ୍କ ଟିମ୍ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟରେ କୋଭିଡ୍‌-୧୯ ବ୍ରେକ୍ ଦଳର ପ୍ରଦର୍ଶନକୁ ଆଦୌ ପ୍ରଭାବିତ କରିପାରିନଥିଲା ।

ଅନ୍ୟପକ୍ଷରେ ଗତ ସଂସ୍କରଣରେ ପ୍ରଥମ ଥର ପ୍ଲେ ଅଫରୁ ବିତ ହେବା ପରେ ଚେନ୍ନାଇ ଏଇ ସିଜନରେ ଜବରଦସ୍ତ ପ୍ରତ୍ୟାର୍ବନ କରି ଟାଇଟଲ୍ ଦାବିଦାର ଭାବେ ଉଭା ହୋଇଛି । ଦିଲ୍ଲୀ ତୁଳନାରେ ନକ୍ ଆଉଟ୍ ରାଉଣ୍ଡରେ ଖେଳିବାର ଅଭିଜ୍ଞତା ଦୃଷ୍ଟିରୁ ଚେନ୍ନାଇ ପ୍ରଥମ କ୍ୱାଲିଫାୟରରେ ଫେଭରିଟ୍ ମନେ କରାଯାଉଛି । ଏଥରକୁ ମିଶାଇ ଚେନ୍ନାଇ ୧୧ତମ ଥର ପାଇଁ ପ୍ଲେ ଅଫରେ ଖେଳିବ । ଯଦିଓ ଦଳ ଚଳିତ ସିଜନରେ ନିଜର ଶେଷ ତିନୋଟି ଲିଗ୍ ମ୍ୟାଚରେ ପରାସ୍ତ ହୋଇଥିଲା, ଏହା ଧୋନିଙ୍କ ଦଳର ପ୍ରଦର୍ଶନକୁ ସେଭଳି ପ୍ରଭାବିତ କରିବ ନାହିଁ ବୋଲି ବିଶ୍ୱାସ କରାଯାଉଛି । ଦିଲ୍ଲୀ ନିଜର ଶେଷ ଲିଗ୍ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଠାରୁ ଶେଷ ବଲରେ ହାରିଥିଲା । ଉକ୍ତ ପରାଜୟ କିନ୍ତୁ ଦଳକୁ ଶୀର୍ଷ ସ୍ଥାନରୁ ହଟାଇ ପାରିନଥିଲା ।

ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଆଇପିଏଲ ଇତିହାସରେ ୮ ଥର ଫାଇନାଲ୍ ଖେଳିଥିବା ବେଳେ ତିନି ଥର ଟାଇଟଲ୍ ଜିତିଛି । ଏଥିରୁ ବଡ଼ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରିବାର ଦଳର ଦକ୍ଷତା ସ୍ପଷ୍ଟ ପ୍ରମାଣିତ ହୋଇଛି । ଏହି କାରଣ ଯୋଗୁଁ ଅନ୍ୟ ଦଳ ତୁଳନାର ଚେନ୍ନାଇ ଆଗରେ ରହିଛି ।

ଧୋନିଙ୍କ ଫର୍ମୁଲା ସ୍ପଷ୍ଟ ଓ ସରଳ । ସେ ନୂଆ ପ୍ରତିଭା ପରିର୍ବେ ସର୍ବଦା ଅଭିଜ୍ଞ ସମ୍ପନ୍ନ ଭେଟେରାନ ଖେଳାଳିଙ୍କ ଉପରେ ଭରସା କରିଥାନ୍ତି, ଯେଉଁମାନେ କି ଚାପପୂର୍ଣ୍ଣ ପରିସ୍ଥିତିରେ ନିଜକୁ ସାବ୍ୟସ୍ତ କରିଛନ୍ତି । ଏଥିପାଇଁ ବହୁ ବର୍ଷ ଧରି ସୁରେଶ ରାଇନା, ଡୁଏନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍‌, ରବୀନ୍ଦ୍ର ଜାଡେଜା ଓ ଅମ୍ବାତି ରାୟୁଡୁଙ୍କ ଭଳି ସିନିୟର ଓ ଅଭିଜ୍ଞ ଖେଳାଳି ଚେନ୍ନାଇ ଦଳର ଗୁରୁତ୍ୱପୂର୍ଣ୍ଣ ଅଂଶ ରହି ଆସିଛନ୍ତି । ବୟସର ସାୟାହ୍ନରେ ପହିଥିଲେ ସୁଦ୍ଧା ଚେନ୍ନାଇର ଏହି ଭେଟେରାନ ଖେଳାଳିମାନେ ପ୍ଲେ ଅଫ୍ ଏବଂ ଫାଇନାଲ ଭଳି ବଡ଼ ମ୍ୟାଚରେ ଚାପକୁ କିଭଳି ନିୟନ୍ତ୍ରଣ କରାଯାଏ ଓ ଦଳକୁ ଜଟିଳ ସ୍ଥିତିରୁ ଉଦ୍ଧାର କରି ବିଜୟୀ କରିବାର କଳା ଭଲ ଭାବେ ଜାଣନ୍ତି ।

ଏହି ଭେଟେରାନ ଖେଳାଳିଙ୍କ ଗହଣରେ ଋତୁରାଜ ଗାଏକ୍ୱାଡ ହେଉଛନ୍ତି ଜଣେ ବିରଳ ବ୍ୟତିକ୍ରମ । ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ ସହ ଋତୁରାଜ ଜାତୀୟ ଚୟନର୍କାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ଲେ ଅଫରେ ମଧ୍ୟ ସେ ଏଭଳି ଫର୍ମ ବଜାୟ ରଖିବେ ବୋଲି ତାଙ୍କ ଦଳ ଆଶା ରଖିଛି । ଡୁ’ପ୍ଲେସିସ ମଧ୍ୟ ଭଲ ଟଚ୍ ରେ ଅଛନ୍ତି । କେବଳ ଦଳର ମଧ୍ୟକ୍ରମ ବ୍ୟାଟିଂ ଚିନ୍ତାର କାରଣ ହୋଇଛି । ଅଧିନାୟକ ଧୋନିଙ୍କ ସହ ତାଙ୍କର ପୁରୁଣା ସାଥୀ ଖେଳାଳି ରାଇନାଙ୍କ ମଧ୍ୟ ଏହି ସିଜନରେ ଫେଲ ମାରିଛନ୍ତି । ଏଭଳି ସ୍ଥଳେ ଋତୁରାଜ-ଡୁ’ପ୍ଲେସିସଙ୍କ ଓପନିଂ ଯୋଡ଼ି ଓ ଡେଥ ଓଭରରେ ଜାଡେଜାଙ୍କ ପ୍ରଦର୍ଶନ ନିର୍ଣ୍ଣାୟକ ହେବ । ଋତୁରାଜ ଚଳିତ ସିଜନରେ ଏଯାବତ୍ ଗୋଟିଏ ଶତକ ଓ ତିନୋଟି ଅର୍ଦ୍ଧଶତକ ସହ ୫୩୩ କରିଥିବା ବେଳେ ଡୁ’ପ୍ଲେସିସ୍ ୫୪୬ ରନ୍ କରିଛନ୍ତି । ଜାଡେଜା (୨୭୭ ରନ୍‌) ଡେଥ ୍ ଓଭରରେ ରନ୍ ରେଟ୍ ବଢାଇବାରେ ସଫଳ ହୋଇଛନ୍ତି ।
ବୋଲିଂ ବିଭାଗରେ ଶାର୍ଦ୍ଦୁଲ ଠାକୁର ଚେନ୍ନାଇର ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ଠାକୁର ଏଯାବତ ୧୪ଟି ମ୍ୟାଚରୁ ୧୮ ୱିକେଟ୍ ନେଇଛନ୍ତି । ତାଙ୍କ ଇକୋନୋମି ରେଟ୍ (୮.୫୭) ଅଧିକ ଥିଲେ ମଧ୍ୟ ସେ ଠିକ୍ ସମୟରେ ଦଳକୁ ୱିକେଟ୍ ଦେଇଛନ୍ତି । ରନ୍ ରୋକିବାରେ ମାହିର ବ୍ରାଭୋଙ୍କ ଡେଥ୍ ଓଭର ବୋଲିଂ ପୁଣି ଚେନ୍ନାଇ ପାଇଁ ଗୁୁରୁତ୍ୱପୂର୍ଣ୍ଣ ହେବ । ଅଷ୍ଟ୍ରେଲୀୟ ପେସର ହାଜଲଉଡ୍ ଆଶାନୁରୂପ ପ୍ରଦର୍ଶନ କରିନଥିଲେ ମଧ୍ୟ ଦିଲ୍ଲୀ ବିପକ୍ଷ ପ୍ଲେ ଅଫରେ ସେ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି ।

ଚଳିତ ସଂସ୍କରଣରେ ଦିଲ୍ଲୀ ୧୦ଟି ମ୍ୟାଚ୍ ଜିତିଥିଲେ ମଧ୍ୟ ଦଳର ବ୍ୟାଟିଂ ସେଭଳି କ୍ଲିକ୍ କରିନାହିଁ । ଦୁଇ ଓପନର ପୃଥ୍ୱୀ ଶ’ (୪୦୧ ରନ୍‌) ଓ ଶିଖର ଧାୱନ୍ (୫୪୪) ଭଲ ଷ୍ଟାର୍ଟକୁ ବଡ଼ ସ୍କୋରରେ ପରିଣତ କରିପାରି ନାହାନ୍ତି । ଅଧିନାୟକ ପନ୍ତ (୩୨୨)ଙ୍କ ପ୍ରଦର୍ଶନରେ ସ୍ଥିରତାର ଅଭାବା ପରିଲକ୍ଷିତ ହୋଇଥିବା ବେଳେ ଆଘାତ ଯୋଗୁଁ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ମାର୍କସ୍ ଷ୍ଟୋଇନିସଙ୍କ ଅନୁପସ୍ଥିତି ଦିଲ୍ଲୀର ବ୍ୟାଟିଂ ଲାଇନ ଅପର ସନ୍ତୁଳନ ସାମାନ୍ୟ ବିଗାଡିଥିବା ମନେ ହେଉଛି । ସିମ୍ରନ୍ ହେଟମେୟରଙ୍କୁ ଛାଡ଼ି ଡେଥ ଓଭରରେ ଦିଲ୍ଲୀ ପାଖରେ ସେଭଳି ବଡ଼ ହିଟର ନାହାନ୍ତି ।

ଦିଲ୍ଲୀର ଶକ୍ତି ହେଉଛି ଏହାର ବୋଲିଂ ଲାଇନ୍ ଅପ୍ । ଅବେଶ ଖାନ୍ (୨୨ ୱିକେଟ୍‌), ଅକ୍ଷର ପଟେଲ (୧୫), କାଜିସୋ ରବାଡା (୧୩ ୱିକେଟ୍‌) ଏବଂ ଅନରିଚ୍ ନର୍ଜେ (୯)ଙ୍କୁ ଚଳିତ ସିଜନରେ କ୍ରମଗାତ ଭଲ ପ୍ରଦର୍ଶନ କରିଛନ୍ତି । ଚେନ୍ନାଇ ବିପକ୍ଷରେ ମଧ୍ୟ ସେମାନଙ୍କ ଠାରୁ ଅନୁରୂପ ପ୍ରଦର୍ଶନର ଆଶା ରଖିଛନ୍ତି ପନ୍ତ ।

Comments are closed.