ଭାରତର ସଫଳତାରେ ଚୀନ୍ ଈର୍ଷାନ୍ବିତ ! ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ ନେଇ ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ:ଭାରତ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରି ଇତିହାସ ରଚିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶ ହୋଇଥିଲା ଭାରତ । ତେବେ ଭାରତର ଏହି ସଫଳତାକୁ ହଜମ କରିପାରୁ ନାହିଁ ଚୀନ୍ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଅବତରଣ କରିବା ଭାରତର ଦାବି ମିଛ ବୋଲି କହିଛନ୍ତି ଚୀନ୍‌ର ପ୍ରଥମ ଚନ୍ଦ୍ର ମିଶନର ମୁଖ୍ୟ ବୈଜ୍ଞାନିକ ଓୟାଙ୍ଗ ଜିୟୁଆନ୍ ।

ଚନ୍ଦ୍ରଯାନ-୩ ନେଇ ଚୀନ୍‌ର ସବୁଠୁ ବଡ଼ ବୈଜ୍ଞାନିକଙ୍କ ଦାବି ଏପରି ଏକ ସମୟରେ ଆସିଛି ଯେତେବେଳେ କି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ସ୍ଲିପ୍ ମୋଡରୁ ବିକ୍ରମ ଲ୍ଯାଣ୍ଡର ଏବଂ ପ୍ରଜ୍ଞାନ ରୋଭରକୁ ସକ୍ରିୟ କରିବାକୁ ଚେଷ୍ଟା କରୁଛି ।

ଚୀନ୍‌ର ମହାକାଶ ଗବେଷଣାର ଜନକ କୁହାଯାଉଥିବା ଓୟାଙ୍ଗ କହିଛନ୍ତି, ‘ଚନ୍ଦ୍ରଯାନ -୩ ର ଅବତରଣ ସ୍ଥାନ ଚନ୍ଦ୍ରର ଦକ୍ଷିଣ ମେରୁରେ ହୋଇନାହିଁ | ଏହା ଦକ୍ଷିଣ ମେରୁ ଠାରୁ ୬୧୯ କିଲୋମିଟର ଦୂରରେ ଅବତରଣ କରିଥିଲା । ସେ ଗଣମାଧ୍ୟମକୁ କହିଛନ୍ତି, ଭାରତର ରୋଭର ପ୍ରାୟ ୬୯ ଡିଗ୍ରୀ ଅକ୍ଷାଂଶରେ ଅବତରଣ କରିଥିଲା । ଏହା ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଲ୍ୟାଣ୍ଡ କରିଛି, ଦକ୍ଷିଣ ମେରୁ ଅଞ୍ଚଳରେ ନୁହେଁ | ଚନ୍ଦ୍ରର ଦକ୍ଷିଣ ମେରୁ ୮୮.୫ ରୁ ୯୦ ଡିଗ୍ରୀ ଅକ୍ଷାଂଶ ମଧ୍ୟରେ ଅବସ୍ଥିତ |

ପୃଥିବୀ ଯେଉଁ ଅକ୍ଷରେ ସୂର୍ଯ୍ୟ ଚାରିପଟେ ଘୂରି ବୁଲୁଛି ତାହା ୨୩.୫ ଡିଗ୍ରୀ ଢଳି ରହିଛି | ଏଭଳି ସ୍ଥିତିରେ ଚନ୍ଦ୍ରର ଦକ୍ଷିଣ ମେରୁ ୬୬.୫ ରୁ ୯୦ ଡିଗ୍ରୀ ମଧ୍ୟରେ ଅବସ୍ଥିତ ବୋଲି ବିବେଚନା କରାଯାଏ | ଓୟାଙ୍ଗ ଦାବି କରିଛନ୍ତି ଯେ ଚନ୍ଦ୍ରର ଢଳଣି ମାତ୍ର ୧.୫ ଡିଗ୍ରୀ ହୋଇଥିବାରୁ ଏହାର ମେରୁ ଅଞ୍ଚଳ ବହୁତ ଛୋଟ (ଅକ୍ଷାଂଶ ୮୮.୫ ରୁ ୯୦ ଡିଗ୍ରୀ ମଧ୍ୟରେ) | ନାସା ମଧ୍ୟ ଚନ୍ଦ୍ରର ଦକ୍ଷିଣ ମେରୁ ୮୦ ରୁ ୯୦ ଡିଗ୍ରୀ ବୋଲି ଆକଳନ କରିଛି ।

ଅନ୍ୟପକ୍ଷରେ ହଂକଂ ମହାକାଶ ଗବେଷଣା ଲାବୋରେଟୋରୀର ନିର୍ଦ୍ଦେଶକ ତଥା ଜ୍ୟୋତିର୍ବିଜ୍ଞାନୀ କ୍ୱେଣ୍ଟିନ୍ ପାର୍କର ଚୀନ୍ ବୈଜ୍ଞାନିକ ଓୟାଙ୍ଗଙ୍କ ଦାବିକୁ ଖଣ୍ଡନ କରିଛନ୍ତି । ଭାରତର ଚନ୍ଦ୍ରଯାନ-୩ କେଉଁଠାରେ ଅବତରଣ କରିଥିଲା ତାହା ଆମେ ସ୍ପଷ୍ଟ ଭାବରେ କହି ପାରିବୁ ନାହିଁ । କିନ୍ତୁ ଭାରତ ଯାହା କରିଛି ତାହାକୁ ମଧ୍ୟ ଗୌଣ ମନେ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

Comments are closed.