ଇଭିଏମ୍ ସମ୍ପର୍କରେ ଆରଟିଆଇ ଆବେଦନର ଉତ୍ତର ମିଳୁନି, ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ସିଆଇସି

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍) ସମ୍ପର୍କରେ ଆରଟିଆଇ ଆବେଦନର କୌଣସି ଜବାବ ଦେଉନଥିବା ଯୋଗୁଁ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରୀୟ ସୂଚନା କମିଶନର (ସିଆଇସି) ।

ଏକ ରିପୋର୍ଟ ଅନୁଯାୟୀ, ନିର୍ବାଚନ ସମୟରେ ବ୍ୟବହୃତ ଇଭିଏମ୍ ଏବଂ ଭିଭିପାଟ୍ ମେସିନର ବିଶ୍ୱସନୀୟତା ନେଇ କିଛି ବିଶିଷ୍ଟ ବ୍ୟକ୍ତି ପ୍ରଶ୍ନ ଉଠାଇଥିଲେ। ଏହି ମାମଲାରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ନିର୍ବାଚନ କମିଶନଙ୍କ ଠାରୁ ସୂଚନା ମଗାଯାଇଥିଲା। ହେଲେ କମିଶନ ଏନେଇ ଆବେଦନକାରୀଙ୍କୁ ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା କୌଣସି ଉତ୍ତର ଦେଇନାହାଁନ୍ତି।

ଏହାକୁ ଆରଟିଆଇ ଆଇନର ଚରମ ଉଲ୍ଲଂଘନ ବୋଲି କହି ସିଆଇସି ନିର୍ବାଚନ କମିଶନଙ୍କୁ ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆରଟିଆଇ ଅଧୀନରେ ପୂର୍ବତନ ଆଇଏଏସ୍ ଅଧିକାରୀ ଏମ.ଜି.ଦେବସହାୟମଙ୍କ ସମେତ କିଛି ବିଶିଷ୍ଟ ବ୍ୟକ୍ତି ଇଭିଏମ୍, ଭିଭିପାଟ୍ ଏବଂ ଗଣନା ପ୍ରକ୍ରିୟା ସମ୍ପର୍କରେ କମିଶନଙ୍କ ନିକଟରେ ଆବେଦନ କରି ଏନେଇ ନିଆଯାଇଥିବା ପଦକ୍ଷେପ ବିଷୟରେ ବିବରଣୀ ମାଗିଥିଲେ । ସେମାନେ ଇଭିଏମ୍ ଓ ଭିଭିପାଟ୍ ମେସିନରେ ଜାଲିଆତି ସମ୍ଭବ ବୋଲି ଦାବି କରିଥିଲେ। ଏହା ସେମାନେ ଡେମୋ ମାଧ୍ୟମରେ ପ୍ରମାଣିତ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଥିଲେ । ଏ ସମ୍ପର୍କରେ କମିଶନଙ୍କ ନିକଟରେ ୨ ମେ ୨୦୨୨ରେ ଏକ ଆରଟିଆଇ ଆବେଦନ ଦାଖଲ ହୋଇଥିଲା। ପୁଣି ନଭେମ୍ବର ୨୨, ୨୦୨୨ ରେ ଦେବସହାୟମ ଇଭିଏମ୍ ବିଶ୍ୱସନୀୟତା ନେଇ ଉପସ୍ଥାପିତ ପ୍ରଶ୍ନ ସମ୍ପର୍କରେ କ’ଣ ପଦକ୍ଷେପ ନିଆଯାଇଛି ତାହାର ସୂଚନା ମାଗିଥିଲେ। ତେବେ ନିର୍ଦ୍ଧାରିତ ୩୦ ଦିନର ସମୟସୀମା ମଧ୍ୟରେ ନିର୍ବାଚନ କମିଶନଙ୍କ ଠାରୁ କୌଣସି ଉତ୍ତର ମିଳିନଥିଲା। ବରିଷ୍ଠ ଅଧିକାରୀଙ୍କ ନିକଟରେ ଦେବସହାୟମଙ୍କ ପ୍ରଥମ ଆବେଦନର ମଧ୍ୟ ଶୁଣାଣି ହୋଇନଥିଲା ।

ନିର୍ବାଚନ କମିଶନଙ୍କ ଠାରୁ କୌଣସି ଉତ୍ତର ନ ମିଳିବାରୁ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଦେବସହାୟମ ସିଆଇସିଙ୍କ ଦ୍ବାରସ୍ଥ ହୋଇଥିଲେ। ମୁଖ୍ୟ ସୂଚନା କମିଶନର ହିରାଲାଲ ସମରିଆ ଏନେଇ ନିର୍ବାଚନ କମିଶନଙ୍କ ଜବାବ ତଲବ କରିଥିଲେ। ହେଲେ କମିଶନ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଆରଟିଆଇର ଆଇନର ଉଲ୍ଲଂଘନ ହୋଇଥିବା ଦର୍ଶାଇ ସିଆଇସି ନିର୍ବାଚନ କମିଶନଙ୍କୁ ଏ‌‌ ବାବଦରେ ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩୦ ଦିନ ମଧ୍ୟରେ ଆରଟିଆଇ ଆବେଦନରେ ପଚରାଯାଇଥିବା ପ୍ରତିଟି ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ସିଆଇସି ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍)ର ପ୍ରଫେସର, ଅବସରପ୍ରାପ୍ତ ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫ୍ଏସ୍ ଅଧିକାରୀଙ୍କ ସମେତ ବିଶିଷ୍ଟ ଟେକ୍ ପ୍ରଫେସନାଲ ଓ ଶିକ୍ଷାବିତଙ୍କ ଏକ ଗୋଷ୍ଠୀ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଇଭିଏମ୍ ଏବଂ ଭିଭିପାଟର ବିଶ୍ୱସନୀୟତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।

ଇଭିଏମ୍ ଓ ଭିଭିପାଟ୍ ମେସିନରେ ତ୍ରୁଟି ବିଚ୍ୟୁତିକୁ ତୁରନ୍ତ ସୁଧାରିବାକୁ ଉକ୍ତ ଚିଠିରେ ଦାବି କରାଯାଇଥିଲା । ନହେଲେ ଏହା ନିର୍ବାଚନୀ ଗଣତନ୍ତ୍ର ଭାବେ ଭାରତର ଅସ୍ତିତ୍ୱ ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି କୁହାଯାଇଥିଲା।

Comments are closed.