ବଢ଼ିଲା ଏଲପିଜି ମୂଲ୍ୟ, ବ୍ୟବସାୟିକ ସିଲିଣ୍ଡର ପିଛା ୨୬୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: କ୍ରମାଗତ ତୈଳ ଦର ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ଯୋଗୁଁ ପୂର୍ବରୁ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କୁ ଏବେ ମାସ ଆରମ୍ଭରୁ ଆଉ ଏକ ଝଟକା ଲାଗିଛି। ଏବେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ବଢ଼ିଛି । ବ୍ୟବସାୟିକ ସିଲିଣ୍ଡରଗୁଡ଼ିକର ଏଲପିଜି ମୂଲ୍ୟ ଆଜିଠାରୁ ୨୬୫ ଟଙ୍କା ବୃଦ୍ଧି ପାଇଛି | ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨୦୦୦.୫୦ ଟଙ୍କା ହେବ ଯାହା ପୂର୍ବରୁ ୧୭୩୪ ଟଙ୍କା ଥିଲା। ତେବେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ।
ଏହାପୂର୍ବରୁ ଅକ୍ଟୋବର ୧ରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା। ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ୧୬୯୩ ରୁ ୧୭୩୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା। କୋଲକାତାରେ ଏହା ୧୮୦୫.୫୦ ଟଙ୍କା, ମୁମ୍ବାଇରେ ୧୬୮୫.୬୦ ଟଙ୍କା ଏବଂ ଚେନ୍ନାଇରେ ୧୮୬୭.୫୦ ଟଙ୍କା ଥିଲା। ଅକ୍ଟୋବର ୬ ରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିଥିଲେ।

Comments are closed.