ଗୁଲାମ ନବୀ ଆଜାଦଙ୍କ ଡିଏନ୍ଏ ମୋଦୀ-ମୟ ହୋଇସାରିଛି: କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଦଳରୁ ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ରାଜନୈତକ ମହଲରେ ଆଲୋଡ଼ନ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ଦୁଖ ପ୍ରକାଶ କରିଛି। ଏହା ସହ କଂଗ୍ରେସ କର୍ମୀଙ୍କ ସ୍ୱର ମଧ୍ୟ ବଦଳିଛି ଏବଂ ଆଜାଦଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। କଂଗ୍ରେସ କହିଛି ଯେ ଯେତେବେଳେ ଦଳ ମୁଦ୍ରାସ୍ଫୀତି, ବେକାରୀ ଏବଂ ଧ୍ରୁବୀକରଣ ଭଳି ପ୍ରସଙ୍ଗ ବିରୋଧରେ ଲଢୁଛି ସେତେବେଳେ ଆଜାଦଙ୍କ ଇସ୍ତଫା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଂଗ୍ରେସର ସାଧାରଣ ସମ୍ପାଦକ ଅଜୟ ମାକେନ୍ କହିଛନ୍ତି ଯେ ଗୁଲାମ ନବୀଙ୍କ ଠାରୁ ଦଳ ବହୁତ କିଛି ଆଶା କରିଥିଲା। ଦଳ ଚାହୁଁଥିଲା ସେ ବିରୋଧୀ ଏବଂ ଲୋକଙ୍କ ସ୍ୱରକୁ ମଜବୁତ୍ କରନ୍ତୁ।

ତେବେ ଗୁଲାମ ନବୀ ତାଙ୍କ ଇସ୍ତଫା ପତ୍ରରେ ଦଳ ବିରୋଧରେ କରିଥିବା ଅଭିଯୋଗକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। ଦଳ କହିଛି ଯେ ଇସ୍ତଫା ପତ୍ରରେ ଆଜାଦ ଯାହା ଲେଖିଛନ୍ତି ତାହା ସତ୍ୟ ନୁହେଁ।

ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଆଜାଦଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ ଜିଏନଏ(ଗୁଲାମ ନବୀ ଆଜାଦ)ଙ୍କ ଡିଏନ୍ଏ ମୋଦୀ-ମୟ ହୋଇସାରିଛି । ଆଜାଦ ଏଭଳି ଏକ ସମୟରେ ଏହି ପଦକ୍ଷେପ ନେଇଛନ୍ତି ଯେତେବେଳେ କଂଗ୍ରେସ ଦରବୃଦ୍ଧି, ବେକାରୀ, ଧ୍ରୁବୀକରଣ ଭଳି ସମସ୍ୟା ବିରୋଧରେ ଲଢୁଛି । ଆଜାଦଙ୍କ ଇସ୍ତଫା ପତ୍ରରେ କୁହାଯାଇଥିବା କଥା ସତ ନୁହେଁ, ଏହାର ସମୟ ମଧ୍ୟ ଠିକ ନୁହେଁ ବୋଲି ରମେଶ କହିଛନ୍ତି ।

ପାର୍ଟି ସୂତ୍ରରୁ କୁହାଯାଇଛି ଯେ ରାହୁଲ ଗାନ୍ଧୀଙ୍କ ସହ ମତଭେଦ ଏବଂ ରାଜ୍ୟସଭାକୁ ପଠାଯାଇନଥିବା ଯୋଗୁଁ ଗୁଲାମ ନବୀ ଆଜାଦ ଇସ୍ତଫା ଦେଇଛନ୍ତି ।

ଆଜାଦ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ପାଞ୍ଚ ପୃଷ୍ଠାର ତ୍ୟାଗପତ୍ରରେ ଦଳ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି । ବିଶେଷକରି ଦଳର ସାମ୍ପ୍ରତିକ ସ୍ଥିତି ପାଇଁ ସେ ରାହୁଲ ଗାନ୍ଧୀଙ୍କ ଅପରିପକ୍ବତାକୁ ଦାୟୀ କରିଛନ୍ତି । କଂଗ୍ରେସ ପାର୍ଟି ଏବେ ଚାଟୁକାରଙ୍କ ଦଳରେ ପରିଣତ ହୋଇଛି ବୋଲି ଆଜାଦ କହିଛନ୍ତି ।

Comments are closed.