ଉଦୟନିଧିଙ୍କ ବିବାଦୀୟ ମନ୍ତବ୍ୟ: ‘ସର୍ବଧର୍ମ ସମ୍ଭବ’ କଥା କହିଲା କଂଗ୍ରେସ

ନୂଆଦିଲ୍ଲୀ: ସନାତନ ଧର୍ମ ବିରୋଧରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ନେଇ ଉଠିଥିବା ବିବାଦକୁ କଂ‌ଗ୍ରେସ ସୋମବାର ପ୍ରଶମିତ କରିବାକୁ ଉଦ୍ୟମ କରିଛି । କଂଗ୍ରେସ କହିଛି ଯେ ପ୍ରତ୍ୟେକ ରାଜନୈତିକ ଦଳର ମତ ପ୍ରକାଶ କରିବା ସ୍ବାଧୀନତା ରହିଛି । କିନ୍ତୁ କଂଗ୍ରେସ ‘ସର୍ବଧର୍ମ ସମ୍ଭବ (ସବୁ ଧର୍ମକୁ ସମ୍ମାନ)’ରେ ବିଶ୍ବାସ କରେ ।

ଏହି ପ୍ରସଙ୍ଗରେ ବିଜେପି କଂଗ୍ରେସ ନେତାଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇବା ସହ ଏହାକୁ ହିନ୍ଦୁ ଧର୍ମ ବିରୋଧୀ ବୋଲି ଅଭିଯୋଗ କରିବା ପରେ କଂଗ୍ରେସର ପ୍ରତିକ୍ରିୟା ଆସିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଅଭିଯୋଗ କରିଛନ୍ତି ଯେ ‘ଇଣ୍ଡିଆ’ ମେଣ୍ଟ ‘ଧ୍ରୂବୀକରଣ ରାଜନୀତି’ କରୁଛି ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ‘ସନାତନ ଧର୍ମ’କୁ କରୋନା ଭାଇରସ, ମାଲେରିଆ ଏବଂ ଡେଙ୍ଗୁ ସହିତ ତୁଳନା କରିଥିଲେ । ସେ କହିଥିଲେ ଯେ ଏହାକୁ କେବଳ ବିରୋଧ କଲେ ହେବନାହିଁ ବରଂ ମୂଳୋତ୍ପାଟନ କରାଯିବା ଉଚିତ।

ଡିଏମକେ ହେଉଛି କଂଗ୍ରେସର ସହଯୋଗୀ ଓ ‘ଇଣ୍ଡିଆ’ ମେଣ୍ଟର ଏକ ସଦସ୍ୟ।

ଯେତେବେଳେ ଉଦୟନିଧିଙ୍କ ମନ୍ତବ୍ୟ ବିଷୟରେ ପଚରାଗଲା, କଂଗ୍ରେସ ସାଂଗଠନିକ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଗଣମାଧ୍ୟମକୁ କହିଥିଲେ, ଆମର ଆଭିମୁଖ୍ୟ ସ୍ପଷ୍ଟ । ସର୍ବଧର୍ମ ସମ୍ଭବ ହେଉଛି କଂଗ୍ରେସର ଆଦର୍ଶ। କିନ୍ତୁ ପ୍ରତ୍ୟେକ ରାଜନୈତିକ ଦଳର ମଧ୍ୟ ନିଜ ମତ ପ୍ରକାଶ କରିବାର ସ୍ୱାଧୀନତା ଅଛି। ଆମେ ସମସ୍ତଙ୍କ ବିଶ୍ୱାସକୁ ସମ୍ମାନ କରୁ |

ଅନ୍ୟପକ୍ଷରେ ଏହି ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ ଉଦୟନିଧିଙ୍କୁ ସମର୍ଥନ କରିଥିଲେ ‌ । ସେ କହିଥିଲେ ଯେ ସମାନ ଅଧିକାର ପ୍ରଦାନ କରୁନଥିବା କୌଣସି ଧର୍ମ, ଧର୍ମ ନୁହେଁ ବରଂ ଏହା ଏକ ରୋଗ ଭଳି।

ତେବେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କରଣ ସିଂହ ଡିଏମକେ ନେତାଙ୍କ ମନ୍ତବ୍ୟକୁ ଅଯୌକ୍ତିକ ଏବଂ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

ସେ କହିଛନ୍ତି, “ଉଦୟାନିଧିଙ୍କ ଅଯୌକ୍ତିକ ମନ୍ତବ୍ୟ ଯେ ସନାତନ ଧର୍ମକୁ ମୂଳପୋଛ କରାଯିବା ଉଚିତ୍ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଦେଶରେ କୋଟି କୋଟି ଲୋକ ସନାତନ ଧର୍ମରେ ବିଶ୍ବାସ କରନ୍ତି। ତା’ଛଡା ଦୁନିଆର ସବୁଠୁ ବଡ଼ ସନାତନ ଧର୍ମ ମନ୍ଦିର ତାମିଲନାଡୁରେ ହିଁ ଅଛି… ଜଣେ ଦାୟିତ୍ବବାନ ନେତା ଏପରି ଅଗ୍ରହଣୀୟ ମନ୍ତବ୍ୟ ଦେବା ଆଶ୍ଚର୍ଯ୍ୟର ବିଷୟ‌ ବୋଲି ସେ କହିଛନ୍ତି ।

Comments are closed.