‘ସ୍ବାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି କଙ୍ଗନା, ପଦ୍ମଶ୍ରୀ ସମ୍ମାନ ପ୍ରତ୍ୟାହାର କରାଯାଉ..’, ରାଷ୍ଟ୍ରପତିଙ୍କୁ ମହିଳା କଂଗ୍ରେସର ଦାବି

ନୂଆଦିଲ୍ଲୀ: ଦେଶର ସ୍ୱାଧୀନତା ଉପରେ ଅଭିନେତ୍ରୀ କଙ୍ଗନା ରାନାୱତ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏକ ଟିଭି ଚ୍ୟାନେଲରେ ଏକ କାର୍ଯ୍ୟକ୍ରମରେ କଙ୍ଗନା ୧୯୪୭ ମସିହାରେ ମିଳିଥିବା ସ୍ୱାଧୀନତାକୁ ‘ଭିକ’ ବୋଲି କହି ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଅପମାନିତ କରିଥିଲେ । ଏବେ ମହିଳା କଂଗ୍ରେସ କଙ୍ଗନାଙ୍କ ଏପରି ‌ମନ୍ତବ୍ୟର ବିରୋଧ କରିଛି। ଏଥିସହ କଙ୍ଗନାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରିବାକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟରେ ଦାବି କରିଛି।

ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନେଟା ଡି’ସୁଜା ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ କଙ୍ଗନା ରାନାୱତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି, ସମ୍ବିଧାନକୁ ଅପମାନିତ କରିଛନ୍ତି ଏବଂ ସ୍ୱାଧୀନତା ସଂଗ୍ରାମକୁ ପରିହାସ କରିଛନ୍ତି। ଏଭଳି ସ୍ଥଳେ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ପଦ୍ମଶ୍ରୀ ସମ୍ମାନ ତାଙ୍କଠାରୁ ଫେରାଇ ନିଆଯିବା ଉଚିତ୍।

ମୁମ୍ବାଇର ଆମ୍ ଆଦମୀ ପାର୍ଟି ନେତ୍ରୀ ପ୍ରୀତି ଶର୍ମା ମେନନ ମଧ୍ୟ କଙ୍ଗନାଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। କଙ୍ଗନା ଦେଶଦ୍ରୋହୀ ତଥା ଉତ୍ତେଜନାମୂଳକ ବୟାନ ଦେଇଛନ୍ତି ବୋଲି ସେ କହିଛନ୍ତି।

ସ୍ବାଧୀନତା ନେଇ ବିବାଦୀୟ ବୟାନ ପାଇଁ କଙ୍ଗନାଙ୍କୁ ବିଜେପି ସାଂସଦ ବରୁଣ ଗାନ୍ଧୀ ଭର୍ତ୍ସନା କରିଥିଲେ। କଙ୍ଗନାଙ୍କ ଭିଡିଓ ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, “କେବେ ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ବଳିଦାନକୁ ଅପମାନ ତ କେବେ ତାଙ୍କ ହତ୍ୟାକାରୀକୁ ସମ୍ମାନ; ଆଉ ଏବେ ସହିଦ୍ ମଙ୍ଗଳ ପାଣ୍ଡେଙ୍କଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାଇ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁଭାଷ ଏବଂ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନ ‌ | ମୁଁ ଏହି ଚିନ୍ତାଧାରାକୁ ପାଗଳାମି କହିବି ନା ଦେଶଦ୍ରୋହ ?”

ଏକ ଟିଭି ଚ୍ୟାନେଲ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ କଙ୍ଗନା କହିଥିଲେ ଯେ, ୧୯୪୭ ମସିହାରେ ମିଳିଥିବା ସ୍ୱାଧୀନତା ”ଭିକ” ଥିଲା । ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଭାରତ ପ୍ରକୃତ ସ୍ୱାଧୀନତା ପାଇଥିଲା।

Comments are closed.