ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହେଲା ବିବିସି ଡକ୍ୟୁମେଣ୍ଟାରୀ, ଏବିଭିପିର ଆପତ୍ତି

ହାଇଦ୍ରାବାଦ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ଏଚସିୟୁ)ର ଏକ ଛାତ୍ର ଗୋଷ୍ଠୀ ତରଫରୁ ସୋମବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଷ୍ଟୁଡେଣ୍ଟ୍ ଇସଲାମିକ ଅର୍ଗାନାଇଜେସନ୍ (ଏସ୍ଆଇଓ) ଓ ମୁସଲିମ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ତରଫରୁ ବିଶ୍ୱବିଦ୍ୟାଳୟ ପରିସରରେ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀର ପ୍ରଦର୍ଶନ କରାଯାଇଥିଲା | ସ୍କ୍ରିନିଂରେ ଏହି ଛାତ୍ର ଗୋଷ୍ଠୀର ୫୦ରୁ ଅଧିକ ଛାତ୍ର ଯୋଗ ଦେଇଥିଲେ |

ଏବିଭିପି ଛାତ୍ର ନେତା ମହେଶ କହିଛନ୍ତି, “ଆମେ ଏହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଛୁ ଏବଂ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛୁ। ବିନା ଅନୁମତିରେ କ୍ୟାମ୍ପସ ଭିତରେ ଏହି ସ୍କ୍ରିନିଂ କରାଯାଇଛି।”

ଅନ୍ୟପକ୍ଷରେ ପୋଲିସ କ୍ୟାମ୍ପସ ଭିତରେ ସ୍କ୍ରିନିଂ ଆୟୋଜନ ନେଇ କୌଣସି ଲିଖିତ ଅଭିଯୋଗ ପାଇନଥିବା କହିଛି ।

ଅନ୍ୟପକ୍ଷରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ଛାତ୍ର ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ଘୋଷଣା କରି ଏକ ପୋଷ୍ଟର ଜାରି କରିଛି। ତେବେ ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି।

ପୂର୍ବରୁ ସରକାର ଟ୍ୱିଟର ଏବଂ ୟୁଟ୍ୟୁବରେ ‘ଇଣ୍ଡିଆ: ମୋଦୀ କ୍ବେଶ୍ଚିନ୍’ ନାମକ ଏହି ଡକ୍ୟୁମେଣ୍ଟାରୀ ଲିଙ୍କ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.