କରୋନା ଅପଡେଟ୍‌: ୬ ଦିନ ପରେ ୩୦ ହଜାର ତଳକୁ ଖସିଲା ସଂକ୍ରମଣ, ଦିନକରେ ଆଉ ୨୫,୦୭୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି । ଦେଶରେ ୬ ଦିନ ପରେ ୩୦ ହଜାରରୁ କମ୍ ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଣ୍ଟାରେ ଆଉ ୨୫,୦୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡ୍‌-୧୯ରେ ଆଉ ୩୮୯ ଜଣଙ୍କ ମୃତ୍ୟୁ ହୋଇଛି ।

ଏହା ପୂର୍ବରୁ ଅଗଷ୍ଟ ୧୬ରେ ୩୦ ହଜାରରୁ କମ୍ ମାମଲା ରିପୋର୍ଟ ହୋଇଥିଲା । ଉକ୍ତ ଦିନ ଦେଶରେ ୨୫,୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦିନକରେ ଆଉ ୪୪,୧୫୭ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ଭାରତରେ ସଂକ୍ରମଣ ବ୍ୟାପିବା ଦିନଠୁ ଏଯାବତ୍ ମୋଟ ୩ କୋଟି ୨୪ ଲକ୍ଷ ୪୯ ହଜାର କରୋନା ମାମଲା ପଞ୍ଜିକୃତ ହୋଇଛି । ଏଥିମଧ୍ୟରୁ ୪ ଲକ୍ଷ ୩୪ ହଜାର ୭୫୬ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଥିବା ବେଳେ ୩ କୋଟି ୧୬ ଲକ୍ଷ ୮୦ ହଜାର ଲୋକ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ଏବେ ୩ ଲକ୍ଷ ୩୩ ହଜାର ସକ୍ରିୟ ରୋଗୀ ଅଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ସମଗ୍ର ଦେଶରେ ଏ ପର୍ଯ୍ୟନ୍ତ ୫୮ କୋଟି ୨୫ ଲକ୍ଷ ୪୯ ହଜାର ଟିକା ଡୋଜ୍ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଆଉ ୭.୯୫ ଲକ୍ଷ ଡୋଜ୍ ଦିଆଯାଇଛି । ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ତଥ୍ୟ ଅନୁଯାୟୀ ଅଗଷ୍ଟ ୨୨ ସୁଦ୍ଧା ମୋଟ ୫୦ କୋଟି ୭୫ ଲକ୍ଷ ୫୧ ହଜାର ନମୁନା ପରୀକ୍ଷା କରାଯାଇଛି । ଗତକାଲି ୧୨.୯୫ ଲକ୍ଷ ନମୁନାର ପରୀକ୍ଷଣ ହୋଇଥିଲା । ଦୈନିକ ସଂକ୍ରମଣ ହାର ୩ ପ୍ରତିଶତରୁ କମ୍ ରହିଛି ।

Comments are closed.