ଅକ୍ଟୋବର ୩୧ ଯାଏ ବଢ଼ିଲା କରୋନା କଟକଣା

ନୂଆଦିଲ୍ଲୀ: ସ୍ଥାନୀୟ ସଂକ୍ରମଣ ତଥା କୋଭିଡ୍-୧୯ ଦେଶରେ ଏବେ ବି ଜନସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ୍ ହୋଇ ରହିଥିବାରୁ କେନ୍ଦ୍ର ସରକାର ଦେଶବ୍ୟାପୀ କରୋନା ନିୟନ୍ତ୍ରଣ କଟକଣା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ କେନ୍ଦ୍ର ତରଫରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖାଯାଇଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ କରୋନା ନିୟମ ପାଳନ ଉଲ୍ଲଂଘନ ହେବା ସହ ସଂକ୍ରମଣ ପୁଣି ବଢିବାର ଆଶଙ୍କା ରହିଛି। ତେଣୁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ପରାମର୍ଶ ଦେଇଛନ୍ତି ।

ଭାଲା କହିଛନ୍ତି ଯେ ଦେଶରେ ଦୈନିକ କରୋନା ସଂକ୍ରମଣ ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। କିନ୍ତୁ କିଛି ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ଚିନ୍ତାଜନକ ହୋଇଛି। ଦେଶରେ କୋଭିଡ-୧୯ ଏବେ ମଧ୍ୟ ଜନସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ହୋଇ ରହିଛି। ସେ କହିଛନ୍ତି ଯେ ଜିଲ୍ଲାମାନଙ୍କରେ ଯେଉଁଠାରେ ସଂକ୍ରମଣ ହାର ଅଧିକ, ସଂପୃକ୍ତ ପ୍ରଶାସନ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ଉଚିତ ଯାହା ଦ୍ଵାରା ମାମଲା ବୃଦ୍ଧି ରୋକାଯାଇ ପାରିବ ଏବଂ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ।

Comments are closed.