ଆଜି ଆଇପିଏଲର ଟାଇଟଲ୍ ଲଢ଼େଇ, ଚେନ୍ନାଇ-ଗୁଜରାଟ ମୁହାଁମୁହିଁ

ଅହମ୍ମଦାବାଦ: ଆଇପିଏଲର ଫାଇନାଲରେ ରବିବାର ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ଚାରି ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ମୁହାଁମୁହିଁ ହେବେ । ଚେନ୍ନାଇର କିମ୍ବଦନ୍ତୀ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପଞ୍ଚମ ଆଇପିଏଲ୍ ଟାଇଟଲ୍ ଜିତି ନିଜ ‘ବିଦାୟକାଳୀନ ସିଜନ’କୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି ।‌ କିନ୍ତୁ ଗୁଜରାଟ ଟାଇଟନ୍ସ ପାଖରେ ଶୁଭମାନ ଗିଲଙ୍କ ରୂପରେ ଏକ ଏପରି ‘ରନ୍ ମେସିନ୍’ ଅଛନ୍ତି ଯାହାଙ୍କ ବ୍ୟାଟ୍ ଉପରେ ଅଙ୍କୁଶ ଲଗାଇବା ବୋଲରମାନଙ୍କ ପାଇଁ ଏକ କଠିନ ବ୍ୟାପାର ବୋଲି ପ୍ରମାଣିତ ହୋଇଛି |

ନିଜ ‘ମିଡାସ୍ ଟଚ୍’ ପାଇଁ ବିଖ୍ୟାତ ଜଣେ ଅଭିଜ୍ଞ ଅଧିନାୟକଙ୍କ ସାମ୍ନା ଜଣେ ଏପରି ଯୁବ ବ୍ୟାଟ୍ସମ୍ୟାନଙ୍କ ସହ ହେବ ଯିଏକି ଟେକ୍ନିକରେ ମଧ୍ୟ ମାହିର । ଜଣେ ଭାରତୀୟ କ୍ରିକେଟର ସୁବର୍ଣ୍ଣ ଇତିହାସ ହୋଇଥିବା ବେଳେ ଅନ୍ୟ ଜଣେ ଆସନ୍ତାକାଲିର ଉଜ୍ଜ୍ୱଳ ଭବିଷ୍ୟତ । ଏଭଳି ସ୍ଥଳେ ଏହି ଆଇପିଏଲ୍ ଫାଇନାଲ୍ ଦର୍ଶକଙ୍କ ପାଇଁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି ।

ପ୍ରାୟ ୧୯ ବର୍ଷ ପୂର୍ବେ ଯେତେବେଳେ ଧୋନି ଭାରତୀୟ ଦଳରେ ନିଜ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ଚାରି ବର୍ଷ ବୟସ୍କ ଗିଲ୍ ପାକିସ୍ତାନ ସୀମା ନିକଟ ପଞ୍ଜାବର ଫାଜିଲ୍କା ଗ୍ରାମରେ ନିଜ ଜେଜେବାପାଙ୍କ ହାତ ତିଆରି ବ୍ୟାଟରେ ଚାଷ ଜମିରେ ଖେଳୁଥିଲେ।
ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଯେବେ ୧୩୨,୦୦୦ ଦର୍ଶକ ଶେଷ ଥର ପାଇଁ ହଳଦିଆ ଜର୍ସିରେ ୪୨ ବର୍ଷରେ ପାଦ ଥାପିବାକୁ ଥିବା ଧୋନିଙ୍କୁ ଦେଖିବେ, ସେତେବେଳେ ଭାରତୀୟ କ୍ରିକେଟର ଭବିଷ୍ୟତର ସୁପରଷ୍ଟାର ଗିଲ୍ ତାଙ୍କ ହାତରେ ଆଇପିଏଲ ଟ୍ରଫି ଧରିବାକୁ ବ୍ୟଗ୍ରତା ପ୍ରକାଶ କରୁଥିବେ ।

ଧୋନିଙ୍କ ସିଏସକେ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ତିନି ଶତକ ଏବଂ ୮୫୧ ରନ୍ କରିଥିବା ଗିଲଙ୍କ ବ୍ୟାଟକୁ ରୋକିବା ।

ଦୀପକ ଚହରଙ୍କ ସୁଇଙ୍ଗ୍ ଅବା ୱିକେଟରେ ରବିନ୍ଦ୍ର ଜାଡେଜାଙ୍କ ବୋଲିଂ, ଅଫ୍ ଷ୍ଟମ୍ପ ବାହାରେ ଯାଉଥିବା ମୋଇନ୍ ଅଲିଙ୍କ ବଲ୍ ହେଉ ଅବା ମାଥିଶା ପାଥିରାନାଙ୍କ ସିଧା ପଡୁଥିବା ବଲ୍, ଟେକ୍ନିକାଲ୍ ସିଦ୍ଧ ଗିଲଙ୍କ ଏକାଗ୍ରତା କିପରି ଭାଙ୍ଗିବ ତାହା କେହି ବି ଜାଣନ୍ତି ନାହିଁ |
ଧୋନିଙ୍କ ପ୍ରଶଂସକମାନେ ତାଙ୍କୁ ଆସନ୍ତା ବର୍ଷ ପୁଣି ଖେଳିବାକୁ ଦେଖିବାକୁ ଚାହାଁନ୍ତି । କିନ୍ତୁ ସେ ତାଙ୍କ ବାମ ଆଣ୍ଠୁରେ ବ୍ୟାଣ୍ଡେଜ୍ କରି ପୁରା ଆଇପିଏଲ୍ ଖେଳିଛନ୍ତି । ତେଣୁ ଆସନ୍ତା ସିଜନରେ ଖେଳିବା ତାଙ୍କ ପାଇଁ କଷ୍ଟକର |
ତେଣୁ ‘ଥାଲା(ତାମିଲରେ ବଡ଼ଭାଇ)’ଙ୍କ ପ୍ରଶଂସକମାନଙ୍କ ପାଇଁ ଧୋନିଙ୍କ ଶେଷ ମ୍ୟାଚର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବାର ଏହା ଏକ ସୁଯୋଗ | ସେ ଅଧିକାଂଶ ମ୍ୟାଚ୍‌ରେ ଅଷ୍ଟମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଛନ୍ତି । କିନ୍ତୁ ତୁଷାର ଦେଶପାଣ୍ଡେଙ୍କ ପରି ଅନଭିଜ୍ଞ ବୋଲର ଏବଂ ଶିବମ୍ ଦୁବେଙ୍କ ପରି ଯୁବ ବ୍ୟାଟ୍ସମ୍ୟାନଙ୍କୁ ସେ ଉତ୍ସାହିତ କରି ସେମାନଙ୍କ ମନୋବଳ ବଢ଼ାଇଛନ୍ତି। ଧୋନିଙ୍କ ଚମତ୍କାରିତା କେବେ ଶେଷ ହେବ ନାହିଁ | ତାଙ୍କ ଅଧିନାୟକତ୍ୱ ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀର ଏକ ଅଂଶ ହୋଇ ରହିବ |

ଅନ୍ୟପକ୍ଷରେ ଗୁଜରାଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରେ ଜଣେ ଏପରି ଅଧିନାୟକ ଅଛନ୍ତି, ଯାହାଙ୍କ ମତରେ ଅଧିନାୟକତ୍ବର କେବଳ ଗୋଟିଏ ଉପାୟ ଅଛି ଯାହା ସେ ଧୋନିଙ୍କଠାରୁ ଶିଖିଛନ୍ତି । ବ୍ୟାଟ୍ସମ୍ୟାନ୍ ମ୍ୟାଚ୍ ଜିତାଇଥାନ୍ତି କିନ୍ତୁ ବୋଲରମାନେ ଟୁର୍ଣ୍ଣାମେଣ୍ଟ ଜିତାଅନ୍ତି । ଏହାକୁ ପ୍ରମାଣିତ କରିଛି ପାଣ୍ଡ୍ୟାଙ୍କ ଟାଇଟନ୍ସ ।

ଗୁଜରାଟର ଦ୍ରୁତ ବୋଲର ମହମ୍ମଦ ଶାମି (୨୮ ୱିକେଟ୍), ରସିଦ ଖାନ (୨୭ ୱିକେଟ୍) ଏବଂ ମୋହିତ ଶର୍ମା (୨୪ ୱିକେଟ୍) ଭଲ କାମ କରିଛନ୍ତି। ସେହିପରି ବ୍ୟାଟିଂରେ ଗିଲଙ୍କ ବ୍ୟତୀତ ପାଣ୍ଡ୍ୟା ୩୨୫ ରନ୍ ସଂଗ୍ରହ କରିଛନ୍ତି।

ଚେନ୍ନାଇ ପାଇଁ ୧୩ଟି ମ୍ୟାଚରେ ଡେଭନ୍ କନୱେ (୬୨୫ ରନ୍), ଋତୁରାଜ ଗାଏକୱାଡ (୫୬୪ ରନ୍), ଅଜିଙ୍କ୍ୟ ରାହାଣେ ୨୯୯ ରନ୍ ସଂଗ୍ରହ କରିଥିବାବେଳେ ଦୁବେ ୩୮୬ ରନ୍ ସଂଗ୍ରହ କରିଛନ୍ତି। ଏହି ଆଇପିଏଲରେ ଦୁବେ ୩୩ଟି ଛକା ମାରିଛନ୍ତି । ଶ୍ରୀଲଙ୍କାର ପାଥିରାନା ୧୭ ୱିକେଟ୍ ନେଇଥିବା ବେଳେ ଦେଶପାଣ୍ଡେ ୨୧ଟି ୱିକେଟ୍ ନେଇଛନ୍ତି।

Comments are closed.