କଙ୍ଗନାଙ୍କ ପଦ୍ମଶ୍ରୀ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କୁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅନୁରୋଧ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲୁ) ଅଧ୍ୟକ୍ଷା ସ୍ବାତି ମାଲିୱାଲ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଚିଠି ଲେଖି ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଆଯାଇଥିବା ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି।

କଙ୍ଗନା ନିକଟରେ ଏକ ଟିଭି ଚ୍ୟାନେଲରେ ଦେଶର ସ୍ୱାଧୀନତା ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା। କଙ୍ଗନା କହିଥିଲେ ଯେ, ୧୯୪୭ରେ ଦେଶକୁ ମିଳିଥିବା ସ୍ବାଧୀନତା ‘ଭିକ’ଥିଲା।
୨୦୧୪ରେ ଭାରତ ପ୍ରକୃତ ସ୍ବାଧୀନତା ପାଇଥିଲା । ଉଲ୍ଲେଖନୀୟ ଯେ ୨୦୧୪ରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ମାଲିୱାଲ ତାଙ୍କ ଚିଠିରେ ଲେଖିଛନ୍ତି ଯେ କଙ୍ଗନା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି। ଏଥିସହ ସେ କଙ୍ଗନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।

ସେ ଲେଖିଛନ୍ତି ଯେ ଭଗତ ସିଂ, ମହାତ୍ମା ଗାନ୍ଧୀଙ୍କ ପରି ଆମର ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ତାଙ୍କ ଭିତରେ କେତେ ଘୃଣା ଭରି ରହିଛି, ତାଙ୍କ ମନ୍ତବ୍ୟରୁ ଜଣାପଡ଼ୁଛି। ଆମେ ସମସ୍ତେ ଜାଣୁ ଯେ ଆମର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଯୋଗୁଁ ଆମେ ବ୍ରିଟିଶ ରାଜରୁ ସ୍ୱାଧୀନତା ପାଇଲୁ |

କଙ୍ଗନାଙ୍କ ବୟାନ କୋଟି କୋଟି ଭାରତୀୟଙ୍କ ଭାବନାକୁ ଆଘାତ ଦେଇଛି । ସେ ଯାହା କହିଛନ୍ତି ତାହା ଦେଶଦ୍ରୋହ ଶ୍ରେଣୀରେ ଆସିବ ବୋଲି ସ୍ବାତି ମାଲିୱାଲ ଦର୍ଶାଇଛନ୍ତି।

Comments are closed.