ବିହାରରେ ବିଷାକ୍ତ ମଦ ଜନିତ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି, ନୀତୀଶ ସରକାରକୁ ଦାୟୀ କଲେ ତେଜସ୍ଵୀ

ପାଟଣା: ବିହାରରେ ବିଷାକ୍ତ ମଦ ଜନିତ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଦୀପାବଳି ଦିନ ବିଷାକ୍ତ ମଦ ପିଇ ଗୋପାଳଗଞ୍ଜରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବେଟିଆରେ ୧୧ ଜଣ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ବିଷାକ୍ତ ମଦ ଯୋଗୁଁ ଅନେକ ଲୋକ ଦୃଷ୍ଟି ଶକ୍ତି ମଧ୍ୟ ହରାଇଥିବା ଅଭିଯୋଗ ହୋଇଛି ‌। ଗତ ସପ୍ତାହରେ ମୁଜାଫରପୁରରେ ମଧ୍ୟ ବିଷାକ୍ତ ମଦ ୬ ଜଣଙ୍କ ଜୀବନ ନେଇଥିଲା ।

ରାଜ୍ୟରେ ବିଷାକ୍ତ ମଦ ମୃତ୍ୟୁ ପାଇଁ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ନୀତୀଶ ସରକାରଙ୍କୁ ଦାୟୀ କରିଛନ୍ତି। ତେଜସ୍ୱୀ ଟୁଇଟ୍ କରି କହିଛନ୍ତି, ବିହାରରେ ଦୀପାବଳି ଦିନ ବିଷାକ୍ତ ମଦ ଯୋଗୁଁ ୩୫ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବିହାରରେ କେବଳ କାଗଜ କଲମରେ ମଦ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି । କିନ୍ତୁ ଖୋଲାଖୋଲି ମଦ ବିକ୍ରି ହେଉଛି ଓ ମଦର କଳା ବଜାରରୁ ମଜା ମଜଲିସ୍ ଚାଲିଛି ।

ବିହାରରେ ବିଷାକ୍ତ ମଦ ଜନିତ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଜବ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଛନ୍ତି, ‘ଯଦି ତୁମେ ଭୁଲ ଜିନିଷ ପିଅ, ତେବେ ଏଭଳି ଘଟଣା ଘଟିବ। କେତେ ମନା କରିବା ପରେ ମଧ୍ୟ ଲୋକ ପିଉଛନ୍ତି….୨୦୧୬ରୁ ଆମେ ମଦ ନିଷେଧକୁ କଡାକଡି ଭାବେ କାର୍ଯ୍ୟକାରୀ କରିଛୁ | ଅଧିକାଂଶ ଲୋକ ମଦ୍ୟପାନ ନିଷେଧ ସପକ୍ଷରେ ଅଛନ୍ତି। କିଛି ଲୋକ ଯେଉଁମାନେ ମଦ୍ୟପାନ କରୁଛନ୍ତି, ସେମାନଙ୍କୁ ମୋର ଅପିଲ ଯେ ସେମାନେ ମଦ ପିଇବା ଛାଡ଼ନ୍ତୁ | ମଦ ପିଇଲେ ଏମିତି ହିଁ ଘଟଣା ଘଟିବ | କିଛି ଲୋକଙ୍କର ଭୁଲ୍ କରିବାର ପ୍ରବୃତ୍ତି ଅଛି |

ନୀତୀଶଙ୍କ ଏଭଳି ମନ୍ତବ୍ୟକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନୀତୀଶ ସେମାନଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

Comments are closed.