ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ହେବ ବିତର୍କ, କଂଗ୍ରେସ ପକ୍ଷରୁ ଆଲୋଚନା ଆରମ୍ଭ କରିବେ ସୋନିଆ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ଉପରେ ଆଜି ଲୋକସଭାରେ ଆଲୋଚନା ହେବ। କଂଗ୍ରେସ ପକ୍ଷରୁ ବିତର୍କ ପାଇଁ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ବିତର୍କ ଆରମ୍ଭ କରିବେ ।

ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବା ଏହି ବିଲ୍ ମଙ୍ଗଳବାର ଲୋକସଭାରେ ଆଗତ କରାଯାଇଥିଲା । କେନ୍ଦ୍ର କ୍ୟାବିନେଟ୍ ସୋମବାର ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ କରିଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମଙ୍ଗଳବାର ନୂଆ ସଂସଦର ଲୋକସଭାରେ ପ୍ରଥମ ବୈଠକରେ ଏହି ବିଲ୍ ଉପସ୍ଥାପନ କରିଥିଲେ । ଏହି ବିଲକୁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ନାମରେ ଆଗତ କରାଯାଇଛି ।

ସୂଚନାଯୋଗ୍ୟ ଯେ ପ୍ରଥମେ ୨୦୦୮ରେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ ସରକାର ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ । ଏହା ୨୦୧୦ରେ ପାରିତ ବି ହୋଇଥିଲା। ତେବେ ଲୋକସଭାରେ ଏହି ବିଲକୁ କେବେ ବି ଆଲୋଚନା ପାଇଁ ଉପସ୍ଥାପନ କରାଯାଇନଥିଲା ।

ଗୃହରେ ଏହି ବିଲ୍ ଉପସ୍ଥାପନ କରି ଆଇନ ମନ୍ତ୍ରୀ ମେଘୱାଲ କହିଥିଲେ ” ନାରୀ ଶକ୍ତି ବନ୍ଦନ ଆଇନ ପାରିତ ହେବା ପରେ ଲୋକସଭାରେ ମହିଳାଙ୍କ ସଂଖ୍ୟା ୧୮୧କୁ ବୃଦ୍ଧି ପାଇବ। ଆଲୋଚନା ସହ ଏହି ବିଲକୁ ବୁଧବାର ପାରିତ କରାଯିବ । ସେପ୍ଟେମ୍ବର ୨୧ ଅର୍ଥାତ ଗୁରୁବାର ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

Comments are closed.