ଗେହଲୋଟ୍, ଥରୁରଙ୍କ ପରେ କଂଗ୍ରେସ ସଭାପତି ଦୌଡ଼ରେ ଦିଗବିଜୟ ସିଂହ, ଆଜି ସୋନିଆଙ୍କୁ ଭେଟିବେ

ନୂଆଦିଲ୍ଲୀ: ଅଶୋକ ଗେହଲୋଟ୍ ଓ ଶଶି ଥରୁରଙ୍କ ପରେ କଂଗ୍ରେସ ସଭାପତି ପଦ ଦୌଡ଼ରେ ଏବେ ବରିଷ୍ଠ ନେତା ଦିଗବିଜୟ ସିଂହ ସାମିଲ ହେବା ସମ୍ଭାବନା ରହିଛି । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଜି ଦିଗବିଜୟ ସିଂହ ଦିଲ୍ଲୀ ଆସୁଛନ୍ତି । ସେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବେ। ଯଦି ସେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନିଅନ୍ତି, ତେବେ କଂଗ୍ରେସ ସଭାପତି ପଦ ପାଇଁ ତ୍ରିମୁଖୀ ଲଢେ଼ଇ ଦେଖିବାକୁ ମିଳିପାରେ ‌।

କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି କରାଯିବ। ଆସନ୍ତାକାଲିଠାରୁ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨୪ ରୁ ୩୦ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯିବ |

ଅକ୍ଟୋବର ୮ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ | ଅର୍ଥାତ୍ ଅକ୍ଟୋବର ୭ ସୁଦ୍ଧା କଂଗ୍ରେସ ସଭାପତି ପଦ ପାଇଁ ଦୌଡ଼ରେ କିଏ ଅଛନ୍ତି ତାହା ସ୍ପଷ୍ଟ ହେବ। ଉଲ୍ଲେଖଥାଉ କି, ଏଥର କଂଗ୍ରେସ ସଭାପତି ପଦବୀ ପାଇଁ ଏକରୁ ଅଧିକ ପ୍ରାର୍ଥୀଙ୍କ ମଧ୍ୟରେ ଲଢେ଼ଇ ହେବ ବୋଲି ମନେ କରାଯାଉଛି।

Comments are closed.