ଆଇପିଏଲ ଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଦୀନେଶ କାର୍ତ୍ତିକ

ନୂଆଦିଲ୍ଲୀ: ଆଇପିଏଲରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତରଫରୁ ପ୍ରତିନିଧିତ୍ୱ କରିଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍‌ରେ ପରାଜୟ ପରେ ଅନ୍ତର୍ଜାତୀୟ ଓ ଆଇପିଏଲ୍ କ୍ୟାରିୟରକୁ ଅଲବିଦା କହିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଆବିର୍ଭାବ ପରେ କାର୍ତ୍ତିକଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପ୍ରଭାବିତ ହୋଇଥିଲେ ମଧ୍ୟ ସେ ନିଜ ପ୍ରଦର୍ଶନ ଦ୍ବାରା ପ୍ରଶଂସକଙ୍କ ହୃଦୟ ଜିଣି ପାରିଥିଲେ ।

ଆଇପିଏଲ୍ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠି କାର୍ତ୍ତିକଙ୍କ ଚାହିଦା କେବେ କମିନଥିଲା । ନିଜ ୨୦ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ଅନେକ ଥର ଜାତୀୟ ଦଳରୁ ଇନ୍-ଆଉଟ୍ ହୋଇଥିବା କାର୍ତ୍ତିକ ଭାରତ ପାଇଁ ୨୬ଟି ଟେଷ୍ଟ, ୯୪ଟି ଦିନିକିଆ ଏବଂ ୬୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। କିଛି ସମୟ ଧରି ଭାଷ୍ୟକାର ଭୂମିକା ତୁଲାଇ ଆସୁଥିବା କାର୍ତ୍ତିକ ୩୮ ବର୍ଷ ବୟସରେ ମଧ୍ୟ ୱିକେଟ୍ ପଛରେ ଅତି ଚଞ୍ଚଳ ଥିଲେ । ଏହାଛଡ଼ା ବ୍ୟାଟ୍ ସହିତ ଚତୁର ସଟ୍ ଖେଳି ଆଜି ପର୍ଯ୍ୟନ୍ତ ନିଜକୁ ପ୍ରାସଙ୍ଗିକ ରଖିଥିଲେ।

ଆଇପିଏଲର ଏହି ସିଜନରେ ବ୍ୟାଟ୍ ସହିତ ନିଜ ଶକ୍ତି ପ୍ରଦର୍ଶନ କରିବା ପରେ କାର୍ତ୍ତିକ ନିଜକୁ ଜାତୀୟ ଦଳ ପାଇଁ ଉପଲବ୍ଧ କରାଇଥିଲେ । କିନ୍ତୁ ଭାରତୀୟ ଚୟନକର୍ତ୍ତା ମାନେ ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ ବେଳେ କାର୍ତ୍ତିକ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଇଂଲଣ୍ଡର ମାଇକେଲ ଆଥର୍ଟନ୍ ହଠାତ୍ ଏକ ପଡକାଷ୍ଟରେ ଏହା ଖୁଲାସା କରିଦେବା ପରେ ତାଙ୍କ ଯୋଜନା ବିଷୟରେ ବିଶ୍ୱ ଜାଣିବାକୁ ପାଇଥିଲା। ୨୦୦୮ରେ ଆରମ୍ଭ ହେବା ପରଠୁ କାର୍ତ୍ତିକ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଥିଲେ।

ସେ ଏହି ଟି-୨୦ ଲିଗର ୧୭ ସିଜନରେ ୬ଟି ଦଳର ପ୍ରତିନିଧିତ୍ୱ କରିଥିଲେ ଏବଂ ୫୦୦୦ ରୁ ଅଧିକ ରନ୍ କରିଥିଲେ। ୱିକେଟ୍ ପଛରେ ମଧ୍ୟ ସେ ୧୪୫ କ୍ୟାଚ୍ ନେବା ସହିତ ୩୭ଟି ଷ୍ଟମ୍ପିଂ କରିଛନ୍ତି। ୨୦୧୩ରେ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଥିଲା ସେ ଏହି ଦଳର ଅଂଶବିଶେଷ ଥିଲେ । ଏହି ସମୟ ମଧ୍ୟରେ ସେ ବିଭିନ୍ନ କ୍ରମରେ ବ୍ୟାଟିଂ କରିଥିଲେ। ତେବେ ଆରସିବି ସହିତ ଗତ ତିନି ବର୍ଷ ଧରି ଫିନିସର ଭୂମିକାରେ ଚମତ୍କାର ପ୍ରଦର୍ଶନ କରିଥିଲେ କାର୍ତ୍ତିକ।

ସେ ୨୦୨୨ ଆଇପିଏଲ୍ ସିଜନରେ ୧୮୩ ଷ୍ଟ୍ରାଇକ୍ ରେଟ୍ ସହ ୩୩୦ ରନ୍ କରି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ତାହା ଜାତୀୟ ଦଳ ସହ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ପାଲଟିଥିଲା।

ତାମିଲନାଡୁର ଏହି ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ ମାତ୍ର ୧୯ ବର୍ଷ ବୟସରେ ଭାରତୀୟ ଦଳ ପାଇଁ ଦିନିକିଆ ଡେବ୍ୟୁ କରିଥିଲେ। ନିଜ ପଦାର୍ପଣ ମ୍ୟାଚରେ ସେ ତତ୍କାଳୀନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନଙ୍କୁ ଚମତ୍କାର ଭାବରେ ଷ୍ଟମ୍ପ କରି ଏହି ମ୍ୟାଚକୁ ସବୁଦିନ ପାଇଁ ସ୍ମରଣୀୟ କରିପାରିଥିଲେ। ତିନି ମାସ ପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ, କିନ୍ତୁ ଖରାପ ପ୍ରଦର୍ଶନ ଏବଂ ଧୋନିଙ୍କ ଆବିର୍ଭାବ ଯୋଗୁଁ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଗ୍ରାଫ୍ ବଢ଼ି ନଥିଲା।

ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ଧୋନିଙ୍କ ସ୍ଥାନ ପକ୍କ ହେବା ସହ କାର୍ତ୍ତିକଙ୍କୁ ୨୦୦୭ ମସିହାରେ ଇଂଲଣ୍ଡ ଗସ୍ତରେ ଇନିଂସ ଓପନ୍ କରିବାକୁ କୁହାଯାଇଥିଲା । ସେହି ଗସ୍ତରେ ଦଳର ଟେଷ୍ଟ ସିରିଜ ବିଜୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା।

୨୦୧୦ ରୁ ୨୦୧୭ ମଧ୍ୟରେ ଆଇପିଏଲରେ କାର୍ତ୍ତିକଙ୍କ ଚାହିଦା ରହିଥିଲା । କିନ୍ତୁ ଜାତୀୟ ଦଳରେ ତାଙ୍କୁ ଆଉ ସ୍ଥାନ ମିଳିନଥିଲା। ୨୦୧୭ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଭାରତ ପାକିସ୍ତାନ ଠାରୁ ପରାସ୍ତ ହେବା ପରେ ସେ ଜାତୀୟ ଦଳକୁ ଫେରିଥିଲେ। ଏହା ପରେ ସେ ୨୦୧୯ ବିଶ୍ୱକପ ପର୍ଯ୍ୟନ୍ତ ଭାରତୀୟ ଦଳର ନିୟମିତ ଅଂଶବିଶେଷ ରହିଲେ।

ଏହି ସମୟ ମଧ୍ୟରେ ୨୦୧୮ରେ ସେ କଲମ୍ବୋରେ ବାଂଲାଦେଶ ବିପକ୍ଷରେ ନିଦାହସ୍ ଟ୍ରଫିର ଫାଇନାଲରେ ଶେଷ ବଲରେ ଛକା ମାରି ଦଳକୁ ସ୍ମରଣୀୟ ବିଜୟ ଦେଇଥିଲେ। ଏହି ମ୍ୟାଚ୍‌ରେ ସେ ୮ଟି ବଲରେ ୨୯ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଦୁଇମାସ ପରେ ସେ ୮ ବର୍ଷର ବ୍ୟବଧାନ ପରେ ଟେଷ୍ଟ ଦଳକୁ ଫେରିଥିଲେ, କିନ୍ତୁ କ୍ରମାଗତ ସ୍ଥିର ପ୍ରଦର୍ଶନ ଦେଇପାରିନଥିଲେ।

ଦିନିକିଆ ବିଶ୍ୱକପ୍ (୨୦୧୯)ରେ ସେ କେବଳ ତିନିଟି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ, ତନ୍ମଧ୍ୟରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ବି ଥିଲା | ୨୦୨୨ ଟି-୨୦ ବିଶ୍ୱକପରେ ଦଳକୁ ଫେରିବା ପରେ ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିଲେ । ତିନୋଟି ମ୍ୟାଚରେ କାର୍ତ୍ତିକ ମାତ୍ର ୧୩ ରନ୍ କରିଥିଲେ। ଏହା ପରେ ତାଙ୍କ ପାଇଁ ଭାରତୀୟ ଦଳର ଦ୍ବାର ବନ୍ଦ ହୋଇଯାଇଥିଲା।

ସେ ନିଜେ ସ୍ୱୀକାର କରିଥିଲେ ଯେ ଭାରତୀୟ ଦଳରେ ଧୋନିଙ୍କ ଗୁରୁତ୍ବ ଓ ଉପସ୍ଥିତି ପାଇଁ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପ୍ରଭାବିତ ହୋଇଥିଲା । କିନ୍ତୁ ଧୋନିଙ୍କ ଭଳି ଖେଳାଳିଙ୍କ ଛାଇରେ ରହିବାରେ କୌଣସି ଲଜ୍ଜା ନାହିଁ ବୋଲି ମଧ୍ୟ କାର୍ତ୍ତିକ ମାନିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ନିରାଶା ସତ୍ତ୍ୱେ ସେ ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିଲେ।

ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି ଖେଳାଳିମାନେ ବୁଧବାର ଦଳରେ ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। କାର୍ତ୍ତିକ ଖୁବ୍ ଶୀଘ୍ର କମେଣ୍ଟେରୀ ବକ୍ସକୁ ଫେରିବେ । ତାଙ୍କୁ ଆଇପିଏଲ୍ ବାହାରେ ଅର୍ଥାତ ବିଦେଶୀ ଟି-୨୦ ଲିଗରେ ଦେଖିବାକୁ ମିଳିବ ।

Comments are closed.