ଦିଲ୍ଲୀ ଅବକାରୀ ଦୁର୍ନୀତି: ୪୦ଟି ସ୍ଥାନରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ବିବାଦ ଥମିବାର ନାଁ ଧରୁନି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆଜି ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ସମେତ ଦେଶର ୪୦ଟି ସ୍ଥାନରେ ଚଢ଼ାଉ ହୋଇଛି । ତଥାକଥିତ ଅବକାରୀ ଦୁର୍ନୀତି ନେଇ ବିଜେପି ଦ୍ବିତୀୟ ‘ଷ୍ଟିଙ୍ଗ୍’ ଭିଡିଓ ଜାରି କରିବାର ଦିନକ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଉକ୍ତ ‘ଷ୍ଟିଙ୍ଗ୍’ ଭିଡିଓରେ ଦାବି କରାଯାଇଛି ଯେ ମଦ ବ୍ୟବସାୟୀମାନେ ଆମ୍ ଆଦମୀ ପାର୍ଟିକୁ ୧୦୦ କୋଟିରୁ ଅଧିକ ଟଙ୍କା ଦେଇଥିଲେ ଯାହା ଦଳ ଗୋଆ ଓ ପଞ୍ଜାବରେ ନିର୍ବାଚନ ପାଇଁ ଖର୍ଚ୍ଚ କରିଥିଲା ।

ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ଅଭିଯୋଗ କରିଥିଲା ଯେ କିଛି ଲୋକଙ୍କ ଫାଇଦା ଉଦ୍ଦେଶ୍ୟରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଦିଲ୍ଲୀରେ ଏକ ନୂଆ ଅବକାରୀ ନୀତି ଆଣିଥିଲେ । ଏହି ଘୋଟାଲାରୁ ଆଦାୟ ଅର୍ଥକୁ ପଞ୍ଜାବର ବିଧାନସଭା ନିର୍ବାଚନରେ ​ ବ୍ୟବହାର କରାଯାଇଥିଲା। ଗୋଆ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଥିଲେ ଯେ ମଦ ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ଅମିତ ଆରୋରାଙ୍କ ଆପ୍ ସରକାରର ମୁଖା ଖୋଲିଦେଇଛନ୍ତି ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ନେଇ ବିଜେପିର ନୂଆ ଷ୍ଟିଙ୍ଗ ଅପରେସନକୁ ଚ୍ୟାଲେଞ୍ଜ କରିଛନ୍ତି । ଯଦି ଏହି ଷ୍ଟିଙ୍ଗ୍ ଅପରେସନ ସତ, ତେବେ ସିବିଆଇ ତାଙ୍କୁ ଗିରଫ କରୁ ବୋଲି ସେ କେନ୍ଦ୍ରକୁ ଖୋଲା ଆହ୍ବାନ ଦେଇଥିଲେ ।

Comments are closed.