କେଜ୍ରିୱାଲଙ୍କ ଘରେ ଇଡି ଟିମ୍, ସୁପ୍ରିମକୋର୍ଟ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଛନ୍ତି । ଅବକାରୀ ଦୁର୍ନୀତି ସହ ଜଡ଼ିତ ମାମଲାରେ ଇଡି ଟିମ୍ ସର୍ଚ୍ଚ ଓ୍ବାରେଣ୍ଟ୍ ସହ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆପ୍ ମୁଖ୍ୟଙ୍କ ଘରେ ତଲାସି କରୁଥିବା ଜଣାପଡ଼ିଛି । ଜେରା ପାଇଁ ହାଜର ହେବାକୁ କେଜ୍ରିୱାଲଙ୍କୁ ଇଡି ଆଉ ଏକ ସମନ ମଧ୍ୟ ଜାରି କରିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଗିରଫରୁ ସୁରକ୍ଷା ପାଇଁ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଗିରଫରୁ ସୁରକ୍ଷା ନେଇ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ଏହାର କିଛି ମିନିଟ୍ ପରେ ଇଡି ଟିମ୍ କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପୂର୍ବରୁ ୯ ଥର ସମନ ଜାରି କରିଥିଲେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥରେ ବି ହାଜର ହୋଇନଥିଲେ । ଇଡି ସମନକୁ ସେ ବେଆଇନ ବୋଲି କହିଥିଲେ ।

ଇଡିର ନବମ ସମନ ପରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସେପଟେ ଆପ୍ ଅଭିଯୋଗ କରିଛି ଯେ କେଜ୍ରିୱାଲଙ୍କୁ ଇଡି ଗିରଫ‌ କରିବାକୁ ଯୋଜନା କରୁଛି ।

Comments are closed.