ଦିଲ୍ଲୀ ଦଙ୍ଗା ମାମଲା: ହାଜର ହେବାକୁ ଫେସବୁକ ଇଣ୍ଡିଆକୁ ଆଉ ୧୪ ଦିନ ସମୟ ଦେଲା ଦିଲ୍ଲୀ ବିଧାନସଭା କମିଟି

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଦିଲ୍ଲୀ ବିଧାନସଭା କମିଟି ସମ୍ମୁଖରେ ହାଜର ହେବା ପାଇଁ ଫେସବୁକ୍ ଇଣ୍ଡିଆକୁ ଆଉ ଟିକିଏ ଅଧିକ ସମୟ ମିଳିଛି। ଫେସବୁକ୍ ଇଣ୍ଡିଆ ଦିଲ୍ଲୀ ବିଧାନସଭା କମିଟି ନିକଟରେ ହାଜର ହେବାକୁ ୧୪ ଦିନ ସମୟ ମାଗିଥିଲା। ଏହାକୁ ମଞ୍ଜୁର କରାଯାଇଥିଲା ଏବଂ ବର୍ତ୍ତମାନ ଫେସବୁକ୍ ଇଣ୍ଡିଆକୁ ନଭେମ୍ବର ୧୮ ସୁଦ୍ଧା କମିଟିରେ ହାଜର ହେବାକୁ ସମୟ ଦିଆଯାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀ ଦଙ୍ଗା ମାମଲାରେ ଦିଲ୍ଲୀ ବିଧାନସଭାର ଶାନ୍ତି ଏବଂ ସଦଭାବ କମିଟି ଅକ୍ଟୋବର ୨୭ ସୁଦ୍ଧା ହାଜର ହେବା ପାଇଁ ଫେସବୁକ ଇଣ୍ଡିଆକୁ ସମନ ପଠାଇଥିଲା। ଏହା ପରେ ଫେସବୁକ୍ ଇମେଲ ମାଧ୍ୟମରେ ଦିଲ୍ଲୀ ବିଧାନସଭା କମିଟିରୁ ୧୪ ଦିନ ସମୟ ମାଗିଥିଲା। ଫେସବୁକ୍ କହିଥିଲା ଯେ କମିଟିରେ ହାଜର ହେବା ଏବଂ ବୟାନ ଜାରି ଦେବା ପାଇଁ ଉପଯୁକ୍ତ ଅଧିକାରୀ ଚୟନ କରୁଛି।
ଅନ୍ୟପକ୍ଷରେ, ଫେସବୁକର ଏହି ଆବେଦନକୁ ଗ୍ରହଣ କରି କମିଟିର ସଭାପତି ରାଘବ ଚଢ଼ା ଫେସବୁକକୁ ନଭେମ୍ବର ୧୮ ଦିନ ୧୨:୩୦ ସୁଦ୍ଧା ହାଜର ହେବାକୁ କହିଛନ୍ତି।

ଦିଲ୍ଲୀ ବିଧାନସଭାର ଶାନ୍ତି ଏବଂ ସଦଭାବ କମିଟି ପକ୍ଷରୁ ଜାରି କରାଯାଇଥିବା ସମନକୁ ଫେସବୁକ୍ ଇଣ୍ଡିଆ ଦ୍ଵାରା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ ଏହି ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ବାହାର ଲୋକଙ୍କୁ ହାଜର ହେବା ପାଇଁ ସମନ ଜାରି କରିବାର ଅଧିକାର ଦିଲ୍ଲୀ ବିଧାନସଭା କମିଟିର ରହିଛି ।

Comments are closed.