ସରକାରଙ୍କୁ କୃଷକ ନେତାଙ୍କ ଚେତାବନୀ, ଜୁନ୍ ୯ ସୁଦ୍ଧା ବ୍ରିଜଭୂଷଣଙ୍କୁ ଗିରଫ ନ କରାଗଲେ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଜି ହରିୟାଣାର କୁରୁକ୍ଷେତ୍ରରେ ଅନୁଷ୍ଠିତ ଖାପ୍ ମହାପଞ୍ଚାୟତ ପରେ କୃଷକ ନେତା ରାକେଶ ଟିକାୟତ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଯଦି ଜୁନ୍ ୯ ସୁଦ୍ଧା ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ ନ କରାଯାଏ ତେବେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଟିକାୟତ କହିଛନ୍ତି ।

ଏହି କୃଷକ ନେତା କହିଛନ୍ତି, ଯଦି ସରକାର କୁସ୍ତିଯୋଦ୍ଧାମାନଙ୍କୁ ଠିକ୍ ସମୟରେ ନ ଶୁଣନ୍ତି, ତେବେ ସାରା ଦେଶରେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆନ୍ଦୋଳନ ଓ ପଞ୍ଚାୟତ ହେବ।

ସେ କହିଛନ୍ତି, “ସମଗ୍ର ଦେଶ ପ୍ରସ୍ତୁତ ହୋଇ ବସିଛି, ଆମେ ଯେଉଁଆଡ଼େ ଯିବୁ, କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ପଞ୍ଚାୟତ ହେବ ।

କୁସ୍ତିମାନଙ୍କ ସୁରକ୍ଷା ବୃଦ୍ଧି କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ରାକେଶ ଟିକାୟତ । ସେ କହିଛନ୍ତି, “କୁସ୍ତିଯୋଦ୍ଧାଙ୍କ ପରିବାରକୁ ଧମକ ଦିଆଯାଉଛି। ସେମାନଙ୍କ ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯିବା ଉଚିତ। ଜୁନ୍ ୯ରେ ଆମେ ନିଷ୍ପତ୍ତି ନେବୁ, ଯଦି ସରକାର କୁସ୍ତିଯୋଦ୍ଧାଙ୍କ କଥା ନ ଶୁଣନ୍ତି, ତେବେ ଆମେ ପୁଣି କୁସ୍ତିଯୋଦ୍ଧାଙ୍କ ସହ ଜନ୍ତର ମନ୍ତରକୁ ଫେରିବୁ। ସରକାର ବ୍ରଜଭୂଷଣଙ୍କ ଶରଣ ସିଂହଙ୍କୁ ଗିରଫ କରନ୍ତୁ। ”

କୁସ୍ତିଯୋଦ୍ଧାମାନେ ବିଜେପି ସାଂସଦ ତଥା କୁସ୍ତି ସଂଘ ସଭାପତି ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି । ୭ ମହିଳା ରେସଲରଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ବ୍ରଜଭୂଷଣଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି।

ଅନ୍ୟପକ୍ଷରେ ବ୍ରିଜ ଭୂଷଣ ସିଂ ତାଙ୍କ ବିରୋଧରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମୁଁ ପୂର୍ବରୁ ମଧ୍ୟ କହିଛି ଯେ ଯଦି ମୋ ବିରୁଦ୍ଧରେ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୁଏ ତେବେ ମୁଁ ନିଜକୁ ଫାଶୀ ଖୁଣ୍ଟରେ ଝୁଲାଇବି। ମୁଁ ମୋର କଥାରେ ଅଟଳ ଅଛି | କେହି କଣ କୁହନ୍ତୁ ନା କାହିଁକି କିଛି ଫରକ ପଡୁନାହିଁ ବୋଲି ବ୍ରଜଭୂଷଣ କହିଛନ୍ତି ।

ବ୍ରଜଭୂଷଣଙ୍କ ବିରୋଧରେ ସରକାରଙ୍କ କୋହଳ ମନୋଭାବ ପ୍ରତିବାଦରେ କୁସ୍ତିଯୋଦ୍ଧାମାନେ ମେ ୩୦ରେ ଗଙ୍ଗାରେ ପଦକ ବିସର୍ଜନ ପାଇଁ ହରିଦ୍ୱାର ଯାଇଥିଲେ । କିନ୍ତୁ କୃଷକ ନେତା ନରେଶ ଟିକାୟତ ମନାଇବା ପରେ ସେମାନେ ଏଥିରୁ ନିବୃତ୍ତ ରହିଥିଲେ ।

Comments are closed.